ଭୁବନେଶ୍ୱର: ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ସନ୍ନିକଟ ନାଇଜର ବାରାକ ଇଣ୍ଡୋର କୋର୍ଟରେ ସ୍ପେଶାଲ ସିକ୍ୟୁରୀଟି ବାଟାଲିୟନର ପ୍ରଥମ ବ୍ୟାଡମିଣ୍ଟନ ଚାମ୍ପିଆନସିପ ଫାଇନାଲ ମ୍ୟାଚ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ଭୁବନେଶ୍ୱର-କଟକ ଟ୍ଵିନ ସିଟିର ପୋଲିସ କମିଶନର ଡକ୍ଟର ସୁରେଶ ଦେବଦତ୍ତ ସିଂ ଏବଂ ଆଡିସିନାଲ ସିପି ନରସିଂହ ଭୋଳ। ଅନ୍ୟାନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଥିଲେ ଡିସିପି ହେଡକ୍ୱାଟର୍ସ ସୁରେଶ ଚନ୍ଦ୍ର ପାତ୍ର, ଡିସିପି ଆର୍ମଡ଼ ପ୍ରଫୁଲ୍ଲ କୁମାର ସିଂ ଓ ଅବସରପ୍ରାପ୍ତ ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ। ସଭାପତି ତଥା ଏସ୍ଏସ୍ ବାଟାଲିୟନ ଡିସିପି ଅଶୋକ କୁମାର ପାଣିଗ୍ରାହୀ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଭେଟି ଦେଇ ସେମାନଙ୍କ ସଦୟ ଉପସ୍ଥିତିରେ ସମସ୍ତେ ଗୌରବାନ୍ୱିତ ବୋଲି କହିଥିଲେ। ମୁଖ୍ୟ ଅତିଥି ସ୍ୱାଗତ ଭାଷଣ ମାଧ୍ୟମରେ କର୍ମଚାରୀମାନଙ୍କର ଦକ୍ଷତା ବିକାଶ କ୍ଷେତ୍ରରେ କ୍ରୀଡ଼ା କିପରି ଅପରିହାର୍ଯ୍ୟ ତାହା ପରିପ୍ରକାଶ କରିଥିଲେ।
ମଞ୍ଚ ସଂଯୋଜନା କରିଥିଲେ ଆଡିସିନାଲ ଡିସିପି ବିଧୁଭୂଷଣ ଉଦଗାତା। ଫାଇନାଲର ରନର୍ସ ଅପ ଆଲୋକ ମିଶ୍ର ଓ ରଂଜନ ପ୍ରଧାନଙ୍କ ଯୋଡ଼ିକୁ ଆଡିସିନାଲ ସିପି ଏବଂ ଚାମ୍ପିୟାନ ନିର୍ମଳ ଦେଓଭଞ୍ଜ ଓ ସୁବ୍ରତ ବରାଳଙ୍କ ଯୋଡ଼ିକୁ ସିପି ଶ୍ରୀ ସିଂ ଯଥାକ୍ରମେ ରନର୍ସ ଅପ ଓ ଚାମ୍ପିୟାନ ଟ୍ରଫି ସହିତ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ହାବିଲଦାର ବିଭୂତି ଭୂଷଣ ମହାରଣା, ସିଦ୍ଧେଶ୍ବର ସାମଲ ଖେଳର ଧାରା ବିବରଣୀରେ ଶବ୍ଦ ଓ ଭାବର ସଂରଂଚନା ଖେଳାଇ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ। ଟୁର୍ଣ୍ଣାମେଂଟର ସଫଳ ଆୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡିସିନାଲ ଡିସିପି ଦୀପକ କୁମାର ଦେହୁରି, ଆଡ଼ଜୁଟଣ୍ଟ ଏସିପି ପ୍ରିୟବ୍ରତ ହେମ୍ବ୍ରମ, ଏସ୍ଆଇ ରମାକାନ୍ତ ସେଠୀ ଓ କ୍ୱାର୍ଟରମାଷ୍ଟର ଏସିପି ନିହାର ରଂଜନ ରାଜ, ଏସ୍ଆଇ ଜ୍ୟୋତିରଞ୍ଜନ ବେହେରାଙ୍କୁ ଭୁୟସୀ ପ୍ରଶଂସା ମିଳିଥିଲା। ଶେଷରେ ଖେଳକୁ ମନଭରି ଉପଭୋଗ କରିବା ପୂର୍ବକ ସ୍ମୃତିମଞ୍ଜୁଳ କରିବା ପାଇଁ ବାଟାଲିୟନର ସମସ୍ତ ଅଫିସର, ହାବିଲଦାର ଓ ସିପାହୀମାନଙ୍କ ମଧ୍ୟରେ ଏକ ଟି-ପାର୍ଟିର ଆୟୋଜନ ହୋଇଥିଲା।









