କୋଲକାତା: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ମିଥୁନ୍ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଏବେ ଏକ “ପଶ୍ଚିମ ବାଂଲାଦେଶ’ରେ ପରିଣତ କରିବାକୁ ଷଡଯନ୍ତ୍ର ଚାଲିଛି। ମିଥୁନ୍ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଦୁଷ୍କର୍ମ, ବେକାରୀ ଏବଂ ସ୍ୱାସ୍ଥ୍ୟସେବାର ଅଭାବ ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ମମତା ବାନାର୍ଜୀ ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। କୁଚ୍ ବିହାର ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମିଥୁନ୍, ମମତା ବାନାର୍ଜୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ମମତା ବୋଧହୁଏ ପଶ୍ଚିମବଙ୍ଗକୁ ଭାରତ ଠାରୁ ଅଲଗା ଏକ ଦେଶ ବୋଲି ଭାବିନେଇଛନ୍ତି। ମମତାଙ୍କ ଷଡଯନ୍ତ୍ର ଏବଂ ଭାବନା କଦାପି ଫଳବତୀ ହେବନାହିଁ। ମିଥୁନ୍ କହିଛନ୍ତି, ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରକୁ ଭାଙ୍ଗିବାର ଏକମାତ୍ର ଉପାୟ ହେଉଛି ସମସ୍ତେ ଏକାଠି ହେବା। ସେ କଂଗ୍ରେସ, ବାମପନ୍ଥୀ ଏବଂ ତୃଣମୂଳ କଂଗ୍ରେସର ସଚେତନ ସମର୍ଥକମାନଙ୍କୁ ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ କରିବା ପାଇଁ ଏକତ୍ର ହେବାକୁ ଆହ୍ୱାନ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ରାଜ୍ୟରେ ଉଦ୍ୟୋଗ, ଶିଳ୍ପ, ନିଯୁକ୍ତି କିମ୍ବା ଉପଯୁକ୍ତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ଅଛି। ରାଜ୍ୟରେ ଦୁର୍ନୀତି ବ୍ୟତୀତ ଆଉ କିଛି ନାହିଁ।
ଏହି ଅବସରରେ ମିଥୁନ୍ ଚକ୍ରବର୍ତ୍ତୀ ଆଉ ଏକ ବଡ଼ କଥା ମଧ୍ୟ କହିଛନ୍ତି। ମିଥୁନ୍ଙ୍କ କହିବାନୁସାରେ ମମତା ବାନାର୍ଜୀଙ୍କ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟରେ କାର୍ଯ୍ୟକାରୀ କରାଇଦେଉନାହାନ୍ତି। ଏପରି କରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସେମାନଙ୍କ ଅଧିକାର ତଥା କେନ୍ଦ୍ରୀୟ ସୁବିଧାରୁ ବଞ୍ôଚତ ରଖିଛନ୍ତି। ମମତା ଏଠାରେ ଭୋଟ୍ବ୍ୟାଙ୍କ୍ ରାଜନୀତି ଚଳାଇଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ଲାଗୁ କରାଇନଦେବା ପଛରେ ମମତାଙ୍କ୍ ଭୟ ସ୍ପଷ୍ଟ ବାରି ହୋଇପଡୁଛି। ଏପ୍ରକାର ଏକ ଜନହିତକର ଯୋଜନାକୁ ଲାଗୁ କରିବା ଦ୍ୱାରା ହୁଏତ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ିଯିବ ବୋଲି ମମତା ଭୟ କରୁଛନ୍ତି। ମିଥୁନ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିବା, ପ୍ରଥମ ପଦକ୍ଷେପ ହେବ।










