ଭୁବନେଶ୍ୱର: ଜାଡ ଭାଙ୍ଗୁଛି ହାଡ । ଉପାନ୍ତରୁ ଉପକୂଳ ଶୂତରେ ଥରୁଛି ଓଡିଶା । ଅସ୍ତବ୍ୟସ୍ତ ହେଉଛି ଜୀବନ । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଛି । ଫଳରେ ରାସ୍ତାରେ ଯାତାୟତ କଷ୍ଟକର ହୋଇପଡିଛି । ଆସନ୍ତା ୫ ଦିନ ଯାଏଁ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଅନ୍ୟପଟେ, ଆସନ୍ତା ୩ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଥିଲେ ମଧ୍ୟ ପରେ ପୁଣି ପାରଦ ୨ରୁ ୪ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଶୁକ୍ରବାର ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଅତି ଘନ କୁହୁଡି ଦେଖାଦେବ। ଏଥିପାଇଁ ଅରେଞ୍ଜ ର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ପୁରୀ, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଶନିବାର ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ଝାରସୁଗୁଡାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୭.୮ଡିଗ୍ରୀ ରହିଥିବାବେଳେ ସ୍ବାଭାବିକଠାରୁ ୪.୨ ଡିଗ୍ରୀ କମ୍ ରହିଥିଲା। ସେହିପରି ଅନୁଗୋଳ ଓ ଫୁଲବାଣୀ ୮ ଡିଗ୍ରୀ, ରାଉରକେଲା ୮.୬ ଡିଗ୍ରୀ, କୋରାପୁଟ ୮.୬ ଡିଗ୍ରୀ, କେନ୍ଦୁଝର ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ଜି.ଉଦୟଗିରି ୯.୨ ଡିଗ୍ରୀ, କିରେଇ ୯.୩ ଡିଗ୍ରୀ, ବୌଦ୍ଧ ୯.୬ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।










