23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସ୍କିଲ୍ ଦ ନେସନ୍ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ସ୍କିଲ୍ ଦ ନେସନ୍ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କିଲ୍ ଦ ନେସନ୍ ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ମଧ୍ୟ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥା ଏବଂ ସମାଜକୁ ନୂଆ ଆକାର ଦେଉଛି। ଆମେ କିପରି ଶିଖୁଛୁ, କିପରି କାମ କରୁଛୁ, ଆଧୁନିକ ସେବା କିପରି ପାଇପାରୁଛୁ ଏବଂ ମାନବତାର ସବୁଠାରୁ ବଡ଼ ଆହ୍ୱାନକୁ କିପରି ମୁକାବିଲା କରୁଛୁ ତାହାକୁ ଏଆଇ ପ୍ରଭାବିତ କରୁଛି। ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ, ଏଆଇ କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ।

ରାଷ୍ଟ୍ରପତି କହିଥିଲେ, ପ୍ରଯୁକ୍ତିବିଦ୍ୟା ଲୋକଙ୍କୁ ସଶକ୍ତ କରିବା, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଉଚିତ। ଭାରତ ସବୁବେଳେ ଏହି ଆଭିମୁଖ୍ୟକୁ ଗ୍ରହଣ କରି ଆସିଛି। ସାମାଜିକ, ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଜନକୁ ଦୂର କରିବା ଲକ୍ଷ୍ୟରେ ଏଆଇର ଉପଯୋଗ କରାଯିବା ଉଚିତ୍ । ଏହାର ଲାଭ ସମସ୍ତ ପୃଷ୍ଠଭୂମି ଏବଂ ବୟସର ଲୋକ, ବିଶେଷକରି ଉପେକ୍ଷିତ ସମ୍ପ୍ରଦାୟଙ୍କ ପାଖରେ ନିଶ୍ଚିତ ଭାବେ ପହଞ୍ଚିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ସମ୍ଭାବନା ଏବଂ ସୁଯୋଗରେ ପରିପୂର୍ଣ୍ଣ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଦେଖି ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଥିଲେ। ପ୍ରଯୁକ୍ତିବିଦ୍ୟା ସହିତ ସେମାନଙ୍କର ଜ୍ଞାନ ଏବଂ ଦକ୍ଷତା ସମାଜର ସେବା କରିବା, ସମସ୍ୟାର ସମାଧାନ ଖୋଜିବା ଏବଂ ଅନ୍ୟମାନଙ୍କୁ ସଶକ୍ତ କରିବା ପାଇଁ ବ୍ୟବହାର କରାଯିବା ଉଚିତ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ ଏଆଇ ଶିକ୍ଷଣ ମଡ୍ୟୁଲ୍ ସମାପ୍ତ କରିଥିବା ସାଂସଦମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ସେମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବିଷୟରେ ନିଜେ ଶିଖିବା ସହିତ ଶିକ୍ଷା ମାଧ୍ୟମରେ ନେତୃତ୍ୱର ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ, କୃତ୍ରିମ ବୁଦ୍ଧିମତ୍ତା ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ବାହକ ରୂପେ ଉଭା ହେଉଛି। ଆଗାମୀ ଦଶନ୍ଧିରେ, ଦେଶର ଜିଡିପି, ନିଯୁକ୍ତି ଏବଂ ସାମଗ୍ରିକ ଉତ୍ପାଦକତାରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଡାଟା ସାଇନ୍ସ, ଏଆଇ ଇଞ୍ଜିନିୟରିଂ ଏବଂ ଡାଟା ଆନାଲିଟିକ୍ସ ଭଳି ଦକ୍ଷତା ଦେଶର ଏଆଇ ପ୍ରତିଭା ଭଣ୍ଡାର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ସେ କହିଥିଲେ, ଭାରତ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବ ନାହିଁ ବରଂ ଏହା ମାଧ୍ୟମରେ ଏକ ଦାୟିତ୍ୱପୂର୍ଣ୍ଣ ଭବିଷ୍ୟତ ମଧ୍ୟ ଗଠନ କରିବ। ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଶିକ୍ଷାବିତଙ୍କ ସହ ମିଶି ସରକାର ଏହା ସୁନିଶ୍ଚିତ କରୁଛନ୍ତି । ଏକ ବିକଶିତ ଭାରତ ଗଠନ ପାଇଁ ପ୍ରତିବଦ୍ଧତା ସହିତ ସମସ୍ତଙ୍କୁ ଏକାଠି କାମ କରିବାକୁ ଶ୍ରୀମତୀ ମୁର୍ମୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବାକୁ ହେବ । ଏକ ପ୍ରଯୁକ୍ତିବିଦ୍ୟା ଆଧାରିତ, ସମାବେଶୀ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ସମସ୍ତଙ୍କୁ ଯୋଗଦାନ ଦେବାକୁ ହେବ । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ, ଭାରତର ଶ୍ରମଶକ୍ତିକୁ ଏକ ଏଆଇ-ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପ୍ରତି ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାର ଅଂଶବିଶେଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking