ଯାଜପୁରରୋଡ଼: ଦୁଇ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଦୁଇ ନୂତନ ଶିକ୍ଷକଙ୍କ ଯୋଗଦାନ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଦୁଇ ଶିକ୍ଷକ ଅନ୍ୟତ୍ର ବଦଳି ଓ ଦୁଇ ନୂତନ ଶିକ୍ଷକଙ୍କ ଯୋଗଦାନ କରିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଏହାରି ପ୍ରତିବାଦରେ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଶିକ୍ଷାମଣ୍ଡଳ ଅଧିନସ୍ଥ ଶାଳୀଜଙ୍ଗା ଇୟୁଜିଏମଇ ସ୍କୁଲରେ ଏଭଳି ଘଟଣା ଦେଖାଦେଇଛି। ଅପରପକ୍ଷରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରାଯାଇଛି। କାରଣ ପୁରୁଣା ଶିକ୍ଷକଙ୍କୁ ବଦଳି କରିବାକୁ ସ୍ଥାନୀୟ ଲୋକେ ଚାହୁଁ ନାହାନ୍ତି ଏବଂ ନୂତନ ଶିକ୍ଷକ ଯୋଗଦାନକୁ ନେଇ ବିରୋଧ କରାଯିବା ଘଟଣା ବିଭାଗୀୟ ଅଧିକାରୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି। ପ୍ରକାଶ, ଦାନଗଦି ବ୍ଲକ୍ ଶାଳିଜଙ୍ଗା ୟୁଜିଏମ୍ଇ ସ୍କୁଲର ଶିକ୍ଷକ ମୁକୁନ୍ଦ ଦେହୁରୀ ଓ ରଞ୍ଜନ କୁମାର ସାହୁଙ୍କୁ କୌଣସି କାରଣ ନଥାଇ ଅନ୍ୟତ୍ର ବଦଳି କରାଯାଇଛି। ଉକ୍ତ ବଦଳି ହୋଇଥିବା ଶିକ୍ଷକଦ୍ୱୟଙ୍କ ସ୍ଥାନରେ ଦିଲ୍ଲୀପ କୁମାର ଜେନା ଓ ସୁଦର୍ଶନ ସାହୁଙ୍କୁ ନୂତନ ଶିକ୍ଷକ ଭାବେ ଯୋଗଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ଶିକ୍ଷକଦ୍ୱୟ ବଦଳି ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ସେମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହା ଫଳରେ ଆଜି ସୋମବାର ସ୍କୁଲ ପରିଚାଳନା କମିଟି ,ଅବିଭାବକ ଓ ଗ୍ରାମବାସୀମାନେ ଶିକ୍ଷକଦ୍ୱୟଙ୍କ ଅନ୍ୟତ୍ର ବଦଳି ଏବଂ ନୂତନ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଯଥାଶୀଘ୍ର ଶିକ୍ଷକଙ୍କ ବଦଳିକୁ ବାତିଲ କରାଯାଇ ପୂର୍ବରୁ ଥିବା ଦୁଇ ଶିକ୍ଷକଙ୍କୁ ଉକ୍ତ ସ୍କୁଲ୍ରେ ପୁନଃ ନିଯୁକ୍ତ କରିବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଛନ୍ତି। ଯଦି ଦୁଇ ଶିକ୍ଷକ ବଦଳି ବାତିଲ ନ କରାଯାଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯିବା ସହ ପୁଣି ବିଦ୍ୟାଳୟରେ ତାଲା ପଡିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀ ଉଭୟ ଚେତାବନୀ ଦେଇଛନ୍ତି। ଏଥିରେ ବିଦ୍ୟାଳୟର ସଭାପତି ବାସୁଦେବ ଦାଶ, ସଦାଶିବ ନନ୍ଦ, ସୁଜାତା ମିଶ୍ର, ଲଷ୍ମୀ ନାୟକ, ମଲ୍ଲି ମହାନ୍ତ, ସମ୍ବୁନାଥ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।










