ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ନିରନ୍ତର ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରିରଖିଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି। ‘ନୂଆପଡ଼ା’ ଭଳି ଦଳ ବିଜୟୀ ହେବ। ସୋମବାର ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ୍ ସିଂହତୋମାର। ଗଣମାଧ୍ୟମକୁ ଶ୍ରୀ ତୋମାର କହିଛନ୍ତି ଯେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଦଳର ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ ଦଳର ୪ ସାଧାରଣ ସଂପାଦକ ଓ ସଂଗଠନ ସଂପାଦକ ମାନସ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତରେ ରଣନୀତି ସ୍ଥିର ହୋଇଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ‘ନୂଆପଡ଼ା’ ଭଳି ବିଜୟୀ ହେବ। ଏହାଛଡ଼ା ଶ୍ରୀ ତୋମାର କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ସମସ୍ତ ପ୍ରତିଶ୍ରୁତି ପ୍ରାୟ ପୂରଣ କରିସାରିଲାଣି। ଆଉ ଯାହା ବାକି ଅଛି ସେଗୁଡ଼ିକୁ ବର୍ଷ ଶେଷ ସୁଦ୍ଧା ପୂରଣ କରାଯିବ। ଏନେଇ ସରକାର ସଚେତନ ଅଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉଣ୍ଡେସି କହିଛନ୍ତି ଯେ, ବିଜେପି ସବୁବେଳେ ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେଇଛି। ଲୋକଙ୍କ ନିକଟତର ହୋଇ ସେମାନଙ୍କର ସେବା କରିବା ପାଇଁ ଦଳ ସର୍ବଦା ତତ୍ପର। ଆଗାମୀ ନିର୍ବାଚନରେ ଦଳ ଆହୁରି ସଫଳ ହେବ। ବିଶେଷକରି ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ ବୋଲି ସେ ପ୍ରକାଶ କରିଛନ୍ତି।









