ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅମର୍ଦା ଏୟାରଷ୍ଟ୍ରିପ ଉଡାଣ ଯୋଜନାରେ ସାମିଲ ହୋଇଥିବା ବେଳେ ଏହାର ପୁନଃରୁଦ୍ଧାର ସହିତ କାର୍ଯ୍ୟକ୍ଷମ ପାଇଁ ମୋରଡା ବିଧାୟକ ତଥା ନଗର ଉନ୍ନୟନମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ୟମ ଚଳାଇ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ରାସଗୋବିନ୍ଦପୁର ବ୍ଲକର ଦେବଶୋଳ ପଞ୍ଚାୟତରେ ପ୍ରଶାସନ ଏବଂ ଦେବଶୋଳ ମୌଜା, ରଙ୍ଗାମାଟିଆ ମୌଜା ,ଡାହିସାହି ମୌଜାର ଗ୍ରାମବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି l ରାସଗୋବିନ୍ଦପୁର ବିଡ଼ିଓ ଅନନ୍ତ କୁମାର ହାଁସଦା, ତହସିଲଦାର ଉପେନ୍ଦ୍ର ଦାସ, ବେତନଟି ଏସଡିପିଓ ମିନତୀ ବିଶ୍ୱାଳ, ଏବିଡିଓ ଜୟକୃଷ୍ଣ ନାୟକ, ପଞ୍ଚାୟତ ଅଧିକାରୀ ରଶ୍ମିରେଖା ମହାନ୍ତ , ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ , ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ , ସମାଜସେବୀ ଆଦିତ୍ୟ ପଟ୍ଟନାୟକ , ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ଡ଼ଃ ବ୍ରଜକିଶୋର ଦାସ, ସରପଞ୍ଚ ଲକ୍ଷ୍ମୀ ହାଁସଦା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ତେବେ ଏୟାରଷ୍ଟ୍ରିପର ପୁନଃରୁଦ୍ଧାର ପାଇଁ ରାସଗୋବିନ୍ଦପୁର ବ୍ଲକର ୨୭୫ ଏକର ଜାଗା ଦରକାର ଥିବାର ଜଣାପଡିଛି l ଏହି ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳରେ ଗମନାଗମନର ସୁବିଧା ହେବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ବହୁ ଲୋକ ରୋଜଗାର ପାଇ ପାରିବେ ବୋଲି ମତପ୍ରକାଶ ପାଇଛି l ତେଣୁ ଜମି ଅଧିଗ୍ରହଣକୁ ସବୁ ମହଲରେ ସହଯୋଗ ଦେବାର ଆବଶ୍ୟକତା ରହିଛି।










