ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଆଇଜିପି (ଇନ୍ସପେକ୍ଟର ଜେନେରାଲ୍) ଅମର ସିଂହ ଚହଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଘରେ ସେ ନିଜକୁ ଗୁଳି କରିଥିବା ସୂଚନା ମିଳିଛି। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ଶ୍ରୀ ସିଂହଙ୍କ ପେଟରେ ଗୁଳି ଲାଗିଥିବା ଏବଂ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖି ତାଙ୍କୁ ତୁରନ୍ତ ପଟିଆଲା ପାର୍କ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ଶ୍ରୀ ସିଂହ ନିଜକୁ ଗୁଳିମାରିବା ପୂର୍ବରୁ ଲେଖିଥିବା ଏକ ୧୨ ପୃଷ୍ଠାର ସୁଇସାଇଡାଲ୍ ନୋଟ୍ ମଧ୍ୟ ପୁଲିସ୍କୁ ମିଳିଛି। ଏଥିରେ ତାଙ୍କ ସହ ୮.୧୦ କୋଟି ଟଙ୍କାର ଏକ ଅନଲାଇନ୍ ଫ୍ରଡ୍ (ସାଇବର ଠକେଇ) ହୋଇଥିଲା, ଏହି କାରଣରୁ ସେ ମାନସିକ ସ୍ତରରେ ଡିପ୍ରେସନ୍ରେ ରହୁଥିବା ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ସେ ଲେଖିଛନ୍ତି। ଏପରିକି ତାଙ୍କ ମୃତ୍ୟୁ ପରେ ଏହି ଘଟଣାର ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତ କରାଇବା ପାଇଁ ପୁଲିସ୍ ଡିଜି ଗୌରବ ଯାଦବଙ୍କୁ ଅନୁରୋଧ କରୁଥିବା କଥା ମଧ୍ୟ ଲେଖିଛନ୍ତି। ପ୍ରକାଶ, ଚାକିରିରୁ ଅବସର ନେବା ପରେ ଅମର ସିଂହ ଚହଲ୍ ପଟିଆଲାରେ ହିଁ ନିଜ ପରିବାର ସହ ରହୁଥିଲେ।
ଶ୍ରୀ ସିଂହ ନିଜ ଆତ୍ମଲେଖରେ ଲେଖିଛନ୍ତି ଯେ, ତାଙ୍କ ଠାରୁ ହୋଇଥିବା ୮.୧୦ କୋଟି ଟଙ୍କାର ଠକେଇରେ କିଛି ସାଇବର ଠକମାନେ ନିଜକୁ ୱେଲ୍ଥ ଇକ୍ୱିଟି ଆଡଭାଇଜର (ପରାମର୍ଶଦାତା) ଦର୍ଶାଇ ତାଙ୍କୁ ଠକିଛନ୍ତି। ଏପରିକି ଠକମାନେ ନିଜକୁ ଡିବିଏସ୍ ବ୍ୟାଙ୍କର ସିଇଓ ଦର୍ଶାଇଥିଲେ, ଏକ ଜାଲ୍ ଡ୍ୟାସବୋର୍ଡ ଦେଖାଇ ତାଙ୍କୁ ନିବେଶ କରିବାକୁ ପ୍ରଲୋଭିତ କରିଥିଲେ, ଆଇପିଓ ଏବଂ ଓଟିସି ଟ୍ରେଡ୍ରେ ଭାରିମାତ୍ରାରେ ଲାଭର ଲୋଭ ଦେଖାଇଥିଲେ। ସୁତରାଂ ସେମାନଙ୍କ କଥାରେ ପଡ଼ି ସେ ନିଜ ୩ଟି ବ୍ୟାଙ୍କ୍ ଆକାଉଣ୍ଟ (ଆକ୍ସିସ, ଆଇସିଆଇସିଆଇ, ଏଚ୍ଡିଏଫ୍ସି)ରୁ ପ୍ରାୟ ୮.୧୦ କୋଟି ଟଙ୍କା ସେ ସାଇବର ଠକଙ୍କ ଭିନ୍ନ ଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଇଥିଲେ କିନ୍ତୁ ଯେତେବେଳେ ସେ ପଠାଇଥିବା ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକ ଯାଞ୍ଚ୍ କରିଥିଲେ ସେତେବେଳେ ଏସବୁ ଜାଲ୍ ପ୍ରମାଣପତ୍ର ଆଧାରରେ ଖୋଲାଯାଇଥିବା ଜାଣିବାକୁ ପାଇଥିଲେ। ଠକମାନେ ସବୁତକ ଟଙ୍କା ଉଠାଇନେଇଥିଲେ।










