ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ତୈଳ ବିକ୍ରୟକାରୀ କମ୍ପାନିଙ୍କୁ ଏସଟିଏର ଚିଠି। ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାୟୁ ପ୍ରଦୂଷଣ ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷ (ଏସଟିଏ)ରୁ ପଦକ୍ଷେପ ନିଆଯାଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣ ପତ୍ର(ପିୟୁସିସି) ନ ଥିବ, ସେହି ଗାଡ଼ିଗୁଡ଼ିକୁ ପେଟ୍ରୋଲ ନ ଦେବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା(ଏସ୍ଟିଏ) ପକ୍ଷରୁ ସମସ୍ତ ତୈଳ ବିକ୍ରୟ କମ୍ପାନୀକୁ ଚିଠି ଲେଖାଯାଇଛି। ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ତତ୍ତ୍ୱାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି।
ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣବତ୍ତା ମାନକୁ ଉନ୍ନତ ରଖାଯିବ ଏବଂ ବିଶେଷକରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ ବୋଲି ଆଶା କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି ଯେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ। ଏଥିପାଇଁ ଗାଡ଼ିଗୁଡିକୁ ନିୟମିତ ବ୍ୟବଧାନରେ ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ। ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ରେ ଇ-ଡିଟେକ୍ସନ୍ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।










