ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍ବିଏସ୍) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଥିଲା।ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା ପରିବହନ ସୁନିଶ୍ଚିତ କରିବା ସହ ଶେଷ ମାଇଲ୍ ସଂଯୋଗ ସୁଦୃଢ଼ କରିବାକୁ ଲକ୍ଷ୍ୟ କରି ବିଭିନ୍ନ ନୀତିଗତ ଓ ପ୍ରଚାଳନାତ୍ମକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।ମୁଖ୍ୟ ଆଲୋଚ୍ୟ ବିଷୟମାନଙ୍କ ମଧ୍ୟରେ *ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)*ଙ୍କ ଭୂମିକା, ଯେଉଁଠାରେ ଏସ୍ଏଚ୍ଜି କଣ୍ଡକ୍ଟରମାନେ ସେବା ପ୍ରଦାନକୁ ସୁଦୃଢ଼ କରିବା ସହ ମହିଳା ଆଜୀବିକାକୁ ପ୍ରୋତ୍ସାହନ ଦେଉଛନ୍ତି , ଟିକେଟ୍ ଦର ପୁନଃନିର୍ଦ୍ଧାରଣ ଓ ଯାତ୍ରୀ ରିହାତି, ସହଜତା ଓ ଆର୍ଥିକ ସ୍ଥାୟୀତ୍ୱ ମଧ୍ୟରେ ସମତୁଳନ ରଖିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ଜାରି ରଖିବା, ଯାହା ଶିକ୍ଷା ଓ ଗତିଶୀଳତାରେ ସମାନ ସୁଯୋଗ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ସଂସ୍ଥାଗତ ବ୍ୟବସ୍ଥାର ପୁନଃସଂରଚନା, ସମନ୍ୱୟ, ନିରୀକ୍ଷଣ ଓ ଦାୟିତ୍ୱବୋଧ ସୁଦୃଢ଼ କରିବା; ବସ୍ ରୁଟ୍ଗୁଡ଼ିକର ଯୁକ୍ତିସଂଗତ ପୁନର୍ବ୍ୟବସ୍ଥା, ଆବରଣ ବୃଦ୍ଧି, ପୁନରାବୃତ୍ତି କମାଇବା ଓ ପ୍ରଚାଳନା କ୍ଷମତା ଉନ୍ନତ କରିବା ଏବଂ ପିପିପି ଅପରେଟରମାନଙ୍କ ପାଇଁ ଜିସିସି ଦର ପୁନଃନିର୍ଦ୍ଧାରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଜିଲ୍ଲାସ୍ତରରୁ ଆସୁଥିବା ପ୍ରସ୍ତାବ ଆଧାରରେ ବସ୍ ରୁଟ୍ଗୁଡ଼ିକୁ ପୁନଃସଂଗଠିତ କରି ବିଦ୍ୟାଳୟ, ଚିକିତ୍ସାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସାର୍ବଜନିକ ସଂସ୍ଥା ସହ ସଂଯୋଗ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ସେ ମିଶନ ଶକ୍ତି ଓ ମହିଳା ଏସ୍ଏଚ୍ଜିଙ୍କ ଅଧିକ ସକ୍ରିୟ ସଂଲଗ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦେଇ, ମୁଖ୍ୟମନ୍ତ୍ରୀ ବସ୍ ସେବା ଓଡ଼ିଶାର ସହଜ, ସୁରକ୍ଷିତ ଓ ସସ୍ଥାୟୀ ସାର୍ବଜନିକ ପରିବହନ ଦୃଷ୍ଟିକୋଣର ଏକ ମୁଖ୍ୟ ଆଧାର ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ ବସ୍ ସେବାର କାର୍ଯ୍ୟଦକ୍ଷତା ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ସମୀକ୍ଷା କରାଯାଇ, ସାର୍ବଜନିନ ପରିବହନକୁ ନିର୍ଭରଯୋଗ୍ୟ, ସାମାବେଶୀ ଓ ଲୋକକେନ୍ଦ୍ରିକ ଗତିଶୀଳତା ସମାଧାନ ଭାବେ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ଏହି ବୈଠକରେ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି, ଓପିଏଚ୍ ଏବଂ ଡବ୍ଲ୍ୟୁସି; ଶ୍ରୀ ଅମିତାଭ ଠାକୁର, ପରିବହନ ଆୟୁକ୍ତ; ଶ୍ରୀ ଏନ୍ବିଏସ୍ ରାଜପୁତ, ସିଏମ୍ଡି, ଓଏସ୍ଆର୍ଟିସି ,ଶ୍ରୀ ଗିରିଶ ଏସ୍.ଏନ କମିଶନର-କମ୍-ସଚିବ, ମିଶନ ଶକ୍ତି ବିଭାଗ ଏବଂ ଶ୍ରୀ ସଞ୍ଜୟ ବିଶ୍ଵାଳ, ଜିଏମ୍ , ଓ ଏସ୍ ଆର୍ ଟି ସିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ଶେଷରେ ଚିହ୍ନଟ ସଂସ୍କାରଗୁଡ଼ିକୁ ତ୍ୱରିତ କାର୍ଯ୍ୟାନ୍ୱୟନ କରିବା ଓ ରାଜ୍ୟ ଏବଂ କ୍ଷେତ୍ରସ୍ତରରେ ସମନ୍ୱିତ ପ୍ରୟାସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ଦ୍ୱାରା ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବସ୍ ସେବାର ପ୍ରଭାବ ଓ ପହଞ୍ଚ ଅଧିକ ସୁଦୃଢ଼ ହେବ।










