ପାଟନା: ଜଣେ ମହିଳା ଡାକ୍ତରାଣୀଙ୍କ ହିଜାବକୁୂ କାଢ଼ି ବିବାଦ ଘେରରେ ଫସିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ପାକିସ୍ତାନ ପଟୁ ତାଙ୍କୁ ଧମକ ମିଳିଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍ତୀଙ୍କ ଝିଅ ତଥା ପିଡିପିର ଅନ୍ୟତମ ନେତ୍ରୀ ଇଲତିଜା ମୁଫ୍ତୀ ମଧ୍ୟ ନୀତୀଶଙ୍କୁ ଧମକ ଦେଇଛନ୍ତି। ଇଲତିଜା ଶ୍ରୀନଗରରେ ଗଣମାଧ୍ୟମରେ କହିଛନ୍ତି, ‘ନୀତୀଶ କିମ୍ବା ଅନ୍ୟ କାହାର ମଧ୍ୟ ହିଜାବ ଛୁଇଁବାର କୌଣସି ଅଧିକାର ନାହିଁ। ଆଉ ଯଦି ଥରେ ଏପରି ହୁଏ ତେବେ ଆମେ ମୁସଲିମ ମହିଳାମାନେ ତୁମ (ନୀତୀଶଙ୍କ ଉଦ୍ଦେଶ୍ୟରେ)କୁ ଏପରି ଏକ ଶିକ୍ଷା ଦେବୁ ଯାହାକୁ ତୁମେ ଭୁଲିପାରିବ ନାହିଁ।’ ପିଡିପି ନେତ୍ରୀ ଇଲତିଜା କହିଛନ୍ତି, “ନୀତୀଶ କୁମାର ତାଙ୍କର ଏପ୍ରକାର ହୀନ କାର୍ଯ୍ୟ ପାଇଁ କ୍ଷମା ମାଗିବା ଉଚିତ୍। ଏତଦ୍ବ୍ୟତୀତ ଇଲ୍ତିଜା କୋଠିବାଗ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିବା ପୂର୍ବକ ନୀତୀଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ମଧ୍ୟ ସୂଚନା ମିଳିଛି। ତେବେ ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି କି ନାହିଁ ସେ ବିଷୟରେ ଜମ୍ମୁ କାଶ୍ମୀର ପୁଲିସ୍ କୌଣସି ସୂଚନା ଦେଇନାହିଁ। ଇଲତିଜା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏହି ଘଟଣା ମୁସଲିମ୍ ମହିଳାଙ୍କ ପ୍ରତି ଅସମ୍ମାନ। ପ୍ରକାଶ, ଡିସେମ୍ବର ୧୫ରେ ନୀତୀଶ ପାଟନା ଠାରେ ଆୟୋଜିତ ଏକ ସମାରୋହରେ ୧,୨୮୩ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରୁଥିଲେ। ଏହି ସମୟରେ ନୁସରତ ପରୱିନ ନାମକ ଜଣେ ହିଜାବ ପରିହିତା ମହିଳା ଡାକ୍ତର ନିଯୁକ୍ତି ପତ୍ର ଗ୍ରହଣ କରିବାକୁ ମଞ୍ଚ ଉପରକୁ ଆସିଥିଲେ। ନିଯୁକ୍ତି ପତ୍ର ପ୍ରଦାନ କରିବା ସମୟରେ, ନୀତୀଶ ହଠାତ୍ ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ହିଜାବ କାଢି ଦେଇଥିଲେ। ଏହାକୁ ନେଇ ଏବେ ଚାରିଆଡୁ ନୀତୀଶଙ୍କୁ ସମାଲୋଚନା କରାଯାଉଛି।









