ଭୁବନେଶ୍ୱର: ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ଆୟୋଜିତ ହେବାକୁ ଥିବା ବେଳେ ଏହି ସମ୍ମିଳନୀରେ ଅନ୍ୟତମ ବିଶେଷତ୍ୱ ରହିବ ଗୁଗୁଲ୍ ଏଆଇ ୱାର୍କସପ୍ । ଏହା ଏକ ଲାଇଭ୍ ଡେମୋ ହୋଇଥିବା ବେଳେ ଏହାର ପ୍ରସଙ୍ଗ ରହିଛି \”ବିୟଣ୍ଡ ଦ ପ୍ରମ୍ପ୍ଟ: ଡିକୋଡିଙ୍ଗ ଗୁଗୁଲ୍ସ ଏଜେଂଟିକ୍ ଏଆଇ\’ । ଏହି କର୍ମଶାଳାରେ ଗୁଗୁଲ୍ର ସିନିୟର ଏଆଇ ଏବଂ କ୍ଲାଉଡ୍ ଆର୍କିଟେକ୍ଟ ଶ୍ରୀ ଅଜିତେଶ କୁମାର ବିଶେଷଜ୍ଞ ଭାବେ ଯୋଗ ଦେଉଥିବା ବେଳେ ନ୍ୟାସନାଲ୍ ରିସର୍ଚ୍ଚ ଡେଭେଲପମେଂଟ କର୍ପୋରେସନ (ଏନଆରଡିସି)ର ସିନିୟର ରିଜିଓନାଲ୍ ମ୍ୟାନେଜର ଏବଂ ପ୍ରୋଗ୍ରାମ୍ ହେଡ (ଇଷ୍ଟ) ଶ୍ରୀ ବିଜୟ କୁମାର ସାହୁ କର୍ମଶାଳା ପରିଚାଳନା କରିବେ ।
ଦେଶ ତଥା ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ସୋଆରେ ଏହି ସମ୍ମିଳନୀ ପାଇଁ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଟ୍ରାନ୍ସଫରମିଙ୍ଗ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଏଆଇ ଷ୍ଟାର୍ଟ-ଅପ୍ସ/ଏଜେଂଟିକ୍ ଏଆଇ, ଏଆଇ ଇନ୍ ଏଗ୍ରିକଲଚର, ଏଆଇ ଇନ ମେଡିସିନ, ଏଆଇ ଏଥିକ୍ସ ଆଣ୍ଡ ସିକ୍ୟୁରିଟି ଏବଂ ଏଆଇ ଆଣ୍ଡ ଏଜୁକେସନ ଭଳି ପ୍ରସଙ୍ଗ ବିଭିନ୍ନ ପର୍ଯ୍ୟାୟ ଏବଂ କର୍ମଶାଳାରେ ଆଲୋଚନା କରାଯିବ । ନିକଟରେ ସ୍ୱୀକୃତିପ୍ରାପ୍ତ ହୋଇଥିବା ଓଡ଼ିଶା ଏଆଇ ନୀତିକୁ ଉନ୍ନତ କରିବା ସହ ରାଜ୍ୟରେ ଏଆଇର ବିକାଶକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ସୋଆ, ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟରର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକମାନେ ଗୋଟିଏ ମଂଚରେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟ ସେବା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କିଭଳି ଏଆଇକୁ ବ୍ୟବହାର କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିବେ ।
ଏହି ସମ୍ମିଳନୀରେ ଭାରତ ଏବଂ ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ବକ୍ତବ୍ୟ ରଖିବା ସହ ଶିକ୍ଷା, ଶିଳ୍ପ, ନୀତି, ଗବେଷଣା, ଉଦ୍ଭାବନ, ଷ୍ଟାର୍ଟ-ଅପ୍ ଓ କର୍ପୋରେଟ ଜଗତର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ୨୦୨୬ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟର ଏହା ହେଉଛି ସରକାରୀ ସ୍ତରର ଏକ ପୂର୍ବ ପ୍ରସ୍ତୁତି । କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଏଆଇ ମିଶନ୍ ସହ ସୋଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗୀ ରହିବ । ଦ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ହେଉଛି ସର୍ବ ପୁରାତନ ଏବଂ ପ୍ରଭାବ ସମ୍ପନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଯାହାକି ବିଦେଶରେ ଥିବା ଓଡ଼ିଆ ମାନଙ୍କର ପ୍ରତିନିଧିତ୍ୱ କରେ । ଏହି ସମ୍ମିଳନୀରେ ଓସାର ସହଭାଗିତା ବିଶ୍ୱ ଦରବାରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବ । ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟର (ଏଏଚ୍ଆରସି) ଆଇଆଇଟି ଭୁବନେଶ୍ୱରର ଏକ ଗବେଷଣା କେନ୍ଦ୍ର ଯାହା ମେ ୨୦୨୩ ରେ ପ୍ରତିଷ୍ଠିତ ହୋଇଛି ।










