ଭୁବନେଶ୍ୱର: ସୁଦାନରୁ ଫେରିଲେ ଓଡିଆ ପୁଅ ଆଦର୍ଶ । ସୁଦାନରୁ ସୁରକ୍ଷିତ ଭାବେ ଓଡିଶା ଫେରିଲେ ଓଡିଆ ଯୁବକ ଆଦର୍ଶ ବେହେରା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା ଓଡିଶା ଫେରିଛନ୍ତି । ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିନେଇଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଦୀର୍ଘଦୀନ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଆଦର୍ଶ । ବିମାନବନ୍ଦରରେ ପହଞ୍ଚିବା ପରେ ପରିବାର ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରିବାର ଲୋକେ ଭାବ ବିହ୍ଵଳ ହୋଇଯାଇଥିଲେ । ପରେ ସେ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖି କହିଛନ୍ତି, ମୋତେ ସୁଦାନରୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ କେନ୍ଦ୍ର ଓ ଓଡିଶା ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଁ କୃତଜ୍ଞ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ବଞ୍ଚିବି କି ନାହିଁ ଜାଣିନଥିଲି । ଦିନେ ଖାଇଲେ ପର ଦିନ ଓପାସରେ ରହୁଥିଲି । ଧର୍ମାନ୍ତୀକରଣ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । ବହୁ ନିର୍ଯ୍ୟାତନା ସହ ଗୋ ମାଂସ ଖାଇବା ପାଇଁ ଦେଉଥିଲେ । ଗତ ୨୦୨୨ ମସିହାରୁ ଆଦର୍ଶ ସୁଦାନରେ ଶୁକ୍ରତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରିରେ କାମ କରି ଆସୁଥିଲେ ।ଆଦର୍ଶ ବେହେରା
ସୂଚନାଥାଉକି, ସୁଦାନରେ ପଣବନ୍ଦୀ ଥିବା ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମରୁ ଏ ସଂପର୍କରେ ଜାଣିବା ପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ଏ ନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏହାସହ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ।










