ମୁମ୍ବାଇ: ମହାରାଷ୍ଟ୍ର ବିଶେଷକରି ମୁମ୍ବାଇ ସହରରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇଛି। ୨୦୨୪ରେ କେବଳ ମୁମ୍ବାଇରେ ୧.୨୮ ଲକ୍ଷ ଲୋକ (୧,୨୮,୨୫୨ ଜଣ) କୁକୁର କାମୁଡାର ଶିକାର ହୋଇଛନ୍ତି। ଶନିବାର ବିଧାନସଭାରେ ଏସମ୍ପର୍କୀତ ପ୍ରଶ୍ନ ଉପରେ ସୂଚନା ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ତଥ୍ୟକୁ ଉଜାଗର କରିଛନ୍ତି। ତେବେ ତାଙ୍କର ଏହି ସୂଚନାକୁ ନେଇ ଦେଶବ୍ୟାପୀ ପୁଣି ଥରେ କୁକୁର କାମୁଡ଼ା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକନାଥ ସିନ୍ଦେଙ୍କ ଏହି ଖୁଲାସା ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସିନ୍ଦେ କହିଛନ୍ତି, ମୁମ୍ବାଇ ସହରକୁ ବାଦ୍ଦେଲେ ନାଗପୁରରେ ମଧ୍ୟ କୁକୁର କାମୁଡା ଘଟଣା ବୃଦ୍ଧି ପାଇଛି। ୨୦୨୪ରେ ନାଗପୁର ମହାନଗର ନିଗମ ଅନ୍ତର୍ଗତ ପ୍ରାୟ ୯,୪୨୭ ଜଣ ବୁଲା କୁକୁରଙ୍କ ଶିକାର ହୋଇଛନ୍ତି। ତେବେ ରାଜ୍ୟ ସରକାର ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଉଛନ୍ତି ବୋଲି ସେ କହିଛନ୍ତି।
ଏହି ଅବସରରେ ସିନ୍ଦେ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରାୟ ୩୦ଲକ୍ଷରୁ ଅଧିକ ଲୋକ କୁକୁର କାମୁଡାର ଶିକାର ହୋଇଛନ୍ତି। ୨୦୨୧ ରୁ ୨୦୨୩ ମଧ୍ୟରେ ୩୦ଜଣ ଲୋକଙ୍କର ରେବିଜ୍ ଯୋଗୁଁ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟରେ କୁକୁର କାମୁଡ଼ା ଘଟଣା ନିରନ୍ତର ବୃଦ୍ଧି ପାଉଛି। ସିନ୍ଦେଙ୍କ କହିବାନୁସାରେ ପ୍ରାଣୀ କଲ୍ୟାଣ ବୋର୍ଡ ନିୟମ ଅନୁଯାୟୀ ୨୦୧୪ରେ ମୁମ୍ବାଇରେ ବୁଲା କୁକୁରମାନଙ୍କ ସଂଖ୍ୟା ୯୫,୧୭୨ ଥିଲା, କିନ୍ତୁ ୨୦୨୪ ଶେଷ ସୁଦ୍ଧା ଏହି ସଂଖ୍ୟା ୯୦,୭୫୭କୁ ହ୍ରାସ ପାଇଛି। ଯଦିଓ ସଂଖ୍ୟା ହ୍ରାସ ପାଇଛି, କିନ୍ତୁ କୁକୁର କାମୁଡ଼ା ଘଟଣା ବୃଦ୍ଧି ଚିନ୍ତାର ବିଷୟ ହୋଇ ରହିଛି। ସେ ଆହୁରି କହିଛନ୍ତି ଯେ, କୁକୁର କାମୁଡ଼ା ସଂଖ୍ୟା କମ କରିବା ପାଇଁ ସରକାର କୁକୁରମାନଙ୍କ ବନ୍ଧ୍ୟାକରଣ କରିଛନ୍ତି ଏବଂ ଟୀକାକରଣ କରିବା ସହ ରେବିଜ୍ ନିୟନ୍ତ୍ରଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି।










