ବଣାଇ: ବଳଦର ମୃତ୍ୟୁରେ କ୍ରୋଧିତ ହୋଇ କଲରାପତରିଆ ବାଘକୁ ବିଷ ଦେଇ ମାରିଦେଲେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ତାମଡ଼ା ବନାଞ୍ଚଳର କୁସୁମଡ଼ିହି ସେକ୍ସନ ଖେସରା ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ପାଇଁ ଜଣେ ବୃଦ୍ଧଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ କୋର୍ଟଚାଲାଣ ପରେ ଜେଲ୍ ଯାଇଛନ୍ତି। ଗିରଫ ଜଣକ ହେଲେ କୁସୁମଡିହି ଗାଁର ନୂଆସ ଖେସ୍। ନୂଆସ ଖେସଙ୍କ ବଳଦକୁ ଗୁରୁବାର ଜଙ୍ଗଲରେ ବାଘଟି ମାରି ଦେଇଥିଲା। ଯାହାକୁ ନେଇ ସେ ପ୍ରତିଶୋଧ ପରାୟଣ ହୋଇଥିଲେ। ବଳଦକୁ ମାରିବା ପରେ ବାଘ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ବାଘ ପଳାଇବା ପରେ ନୂଆସ ମୃତ ବଳଦ ଦେହ ଉପରେ ବିଷ ସିଞ୍ଚନ କରିଥିଲେ। ଆଉ ବିଳମ୍ବିତ ରାତିରେ କଲରାପତରିଆ ବାଘଟି ବଳଦ ମାଂସ ଖାଇବାକୁ ଆସିବାରୁ ତାଦେହରେ ବିଷକ୍ରିୟା ହୋଇଥିଲା। ବଳଦର ମୃତଦେହ ଠାରୁ କିଛି ଦୂରରେ ଟଳି ପଡ଼ିଥିଲା ବାଘଟି। ବନ ବିଭାଗ ଦ୍ୱାରା ପରିଚାଳିତ ବନବନ୍ଧୁମାନେ ପାଟ୍ରୋଲିଂ କରୁଥିବା ସମୟରେ ଏକ କଲରାପତରିଆ ବାଘର ମୃତଦେହ ଦେଖିବାକୁ ପାଇ ଭାରପ୍ରାପ୍ତ ବନପାଳ ଚାରୁଆ ଓରାମଙ୍କୁ ସୂଚନା ଦେଇଥିଲେ। ଏହି ଖବର ପାଇ ବନବିଭାଗ ଚଳଚଞ୍ଚଳ ହୋଇଯାଇଥିଲା। ୨୦/୩୦ ମିଟର ପାଖରେ ଏକ ବଳଦର ମୃତଦେହ ଦେଖିବାକୁ ପାଇଥିଲେ। ଅନୁସନ୍ଧାନ କରିବା ପରେ ଜାଣିବାକୁ ମିଳିଥିଲା ଯେ, ଏହି ବଳଦଟି କୁସୁମଡ଼ିହି ଗ୍ରାମର ନୂଆସ ଖେସ୍ଙ୍କର। ବାଘର ମୃତ୍ୟୁ ସହ ବଳଦର ସମ୍ପର୍କକୁ ଯୋଡ଼ିବା ପରେ ନୂଆସଙ୍କୁ ବନବିଭାଗ ପଚରାଉଚୁରା କରିଥିଲା। ପରେ ସତ ଜଣାପଡ଼ିଥିଲା। ଆଜି ବାଘର ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା।










