19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶକେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶ; ୧୦% ଉଡ଼ାଣ ହ୍ରାସ କରିବ ଇଣ୍ଡିଗୋ

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶ; ୧୦% ଉଡ଼ାଣ ହ୍ରାସ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ’ରେ ଗତ ୮ ଦିନ ଧରି ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଇଣ୍ଡିଗୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ବୈଠକ ସମୟରେ, ବିମାନ କମ୍ପାନୀର ଉଡ଼ାଣର ୧୦% ହ୍ରାସ କରିବାକୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶାନୁସାରେ ଇଣ୍ଡିଗୋକୁ ଏବେ ନିଜର ଦୈନିକ ଉଡାଣ ସଂଖ୍ୟା (୨୨୦୦ ଫ୍ଲାଇଟ୍‌)ର ୧୦% ଅର୍ଥାତ୍ ପ୍ରାୟ ୨୦୦ରୁ ଅଧିକ ଉଡ଼ାଣକୁ ହ୍ରାସ କରିବାକୁ ହେବ। ସମ୍ପ୍ରତି ବିମାନ ଚଳାଚଳ ସ୍ୱାଭାବିକ ହେଉଥିବା ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏକ ସ୍ଥିରାବସ୍ଥା ଆସିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏତଦ୍‌ବ୍ୟତୀତ ଇଣ୍ଡିଗୋକୁ କୌଣସି ବ୍ୟତିକ୍ରମ ବିନା ଭଡ଼ା କ୍ୟାପିଂ ଏବଂ ଯାତ୍ରୀ ସୁବିଧା ପଦକ୍ଷେପ ସମେତ ମନ୍ତ୍ରଣାଳୟର ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ, ଗତ ୮ ଦିନ ଧରି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିମାନ ଚଳାଚଳରେ ବ୍ୟାପକ ବିପର୍ଯ୍ୟୟ ସ୍ଥିତି ଜାରି ରହିଥିଲା। ସେହିପରି ଗତକାଲି ଅର୍ଥାତ୍ ଗତ ୭ ଦିନ ମଧ୍ୟରେ କମ୍ପାନୀକୁ ପ୍ରାୟ ୪୫୦୦ରୁ ଅଧିକ ଫ୍ଲାଇଟ୍ ବାତିଲ୍ କରିବାକୁ ପଡିଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଏଥିମଧ୍ୟରୁ କିଛି ବିମାନ ବିଳମ୍ବିତ ଉଡାଣ ଭରିଥିଲେ କିନ୍ତୁ ଏହା ଯାତ୍ରୀଙ୍କ ସମସ୍ୟାକୁ ହ୍ରାସ କରିପାରିନଥିଲା। ସବୁଠୁ ବିଷମ ପରିସ୍ଥିତି ହେଉଛି ଇଣ୍ଡିଗୋ ସିଇଓ ପିଟର ଏଲବର୍ସ କମ୍ପାନୀ ପକ୍ଷରୁ ବିମାନ ଚଳାଚଳ ସୁରୁଖୁରୁରେ ଚାଲିଥିବା ଦାବି କରୁଥିବା ବେଳେ ମଙ୍ଗଳବାର ମଧ୍ୟ ଇଣ୍ଡିଗୋର ପ୍ରାୟ ୪୦୦ରୁ ଅଧିକ ବିମାନ (ଦେଶବ୍ୟାପୀ) ବାତିଲ୍ କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏବଂ ଡିଜିସିଏ ପକ୍ଷରୁ ଇଣ୍ଡିଗୋ ବିପକ୍ଷରେ ମିଳିତ ଭାବେ ଏପ୍ରକାର ନିଷ୍ପତ୍ତି ନିଆଯାଇଛି। ତେବେ ସରକାର ଏବେ ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକୁ ପୁନଃ ଶୃଙ୍ଖଳିତ ତଥା ଟ୍ରାକ୍‌କୁ ଫେରାଇଆଣିବା ଲକ୍ଷ୍ୟରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦର୍ଶାଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ଏସମ୍ପର୍କରେ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

ଅନ୍ୟ ଏକ ସୂଚନାନୁସାରେ କେନ୍ଦ୍ର ସରକାର ବର୍ତ୍ତମାନର ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ୧୦ଟି ପ୍ରମୁଖ ବିମାନବନ୍ଦରରେ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ନିୟୋଜିତ କରିଥିବା ସୂଚନା ମିଳିଛି। ଏହି ଅଧିକାରୀମାନେ ଉପସଚିବ, ନିର୍ଦ୍ଦେଶକ ଏବଂ ଯୁଗ୍ମ ସଚିବ ସ୍ତରରେ ଅଛନ୍ତି। ୧୦ଟି ପ୍ରମୁଖ ବିମାନବନ୍ଦର ମଧ୍ୟରେ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ, ପୁଣେ, ଗୁଆହାଟୀ, ଗୋଆ ଏବଂ ଥିରୁଅନନ୍ତପୁରମ୍ ଆଦି ଅନ୍ତର୍ଭୁକ୍ତ। ସେହିପରି ଆଉ ଏକ ସୂଚନା ମଧ୍ୟ ସାମ୍ନାକୁ ଆସିଛି ଯେ, ଛତିଶଗଡ଼ ସିଭିଲ୍ ସୋସାଇଟି ଇଣ୍ଡିଗୋକୁ ଆଇନ୍‌ଗତ ନୋଟିସ୍ ଜାରି କରିବା ପୂର୍ବକ ପ୍ରାୟ ୯,୦୦୦ କୋଟି ଟଙ୍କା ଜୋରିମାନା ଦାବି କରିଛି। ନୋଟିସରେ ଦାବି କରାଯାଇଛି ଯେ ଇଣ୍ଡିଗୋ ପ୍ରଭାବିତ ଯାତ୍ରୀମାନଙ୍କୁ ଟିକେଟ୍ ମୂଲ୍ୟର ୧୦ ଗୁଣ କ୍ଷତିପୂରଣ ଦେବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking