ଭୁବନେଶ୍ୱର: ଶୋଇ ଯାଇଛି ସହର, ହେଲେ ଏଠି କିନ୍ତୁ ଆଖିରେ ନିଦ ନାହିଁ। ଗତକାଲି ରାତି ଅଧରେ ରାଜରାସ୍ତାରେ ମୁଢ଼ି ଗଣ୍ଡେ ଆହୋରାତ୍ର ଆନ୍ଦୋଳନରରେ ସାମିଲ ଶିକ୍ଷକଙ୍କ ଭୋକର ଜ୍ୱାଳାକୁ ସାମାନ୍ୟ ଶାନ୍ତ କରିଛି ସତ, ହେଲେ ସବୁ ଦିନିଆ ପେଟ ଚାଖଣ୍ଡକ ପୂରଣ ହେବାର ସ୍ୱପ୍ନ କିନ୍ତୁ ସତ ହେବ କି ନାହିଁ ସେ ଶଙ୍କା ମନରୁ ଯାଉନି। ଦୁଇ ଦିନ ହେଲାଣି ଦୁଇ ଦଫା ଦାବିରେ ପ୍ରାଥମିକ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି। ଦୁଇ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ। ସରକାର ଚୁପ୍, ଜିଦରେ ଗୁରୁ । ଭୁବନେଶ୍ୱର ଲୋୟର ପିଏମଜିରେ ଗତକାଲି ଠାରୁ ଗର୍ଜୁଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ଖରା, ଶୀତ କାକରରେ ପଡ଼ିରହିଛନ୍ତି। ୨୦୦୧ରୁ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିଥିଲା । ହେଲେ ଏଯାଏଁ ଏମାନେ ପାଇପାରିନାହାନ୍ତି ଉଚିତ୍ ପାରିଶ୍ରମିକ। ପୂର୍ବ ସରକାରର ପ୍ରତାରଣା ଏବଂ ଟାଳଟୁଳ ନୀତି ଯୋଗୁ ଏମାନେ ନିଜ ହକରୁ ବଞ୍ଚିତ ଅଛନ୍ତି। ତେଣୁ ୪୨ ଶହକୁ ଗ୍ରେଡ୍ ପେ’ ବୃଦ୍ଧି ଓ ୬ ବର୍ଷ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।
ତେବେ ସରକାରଙ୍କ ଶୁଭ ଦୃଷ୍ଟିକୁ ଆସିବାକୁ ଆଜି ଆନ୍ଦୋଳନ ସ୍ଥଳରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ। ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଦାତା ଗଣେଶଙ୍କୁ ଆବାହନ କରି ଦୀପଦାନ ଓ କଳସ ଯାତ୍ରା ବି କରିଥିଲେ। ସମସ୍ତଙ୍କ ମୁହଁରେ ଥିଲା ସମାନ ଅଭିଯୋଗ, ପୂର୍ବ ସରକାର ଆମକୁ ଠକିଛନ୍ତି। ବିଜେଡି ସରକାର ଅମଳରେ ସେମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଥିଲେ। ଏମିତିକି ସେମାନଙ୍କ ଦାବି ନେଇ ସେତେବେଳେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଠୁ ଧରି ହାଇପାୱାର କମିଟି ମଧ୍ୟ ଗଢ଼ା ଯାଇଥିଲା। ୨୦୧୭ରେ ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ବଦ୍ରି ପାତ୍ର ୨୦୧୭ରେ ଗ୍ରେଡ୍ ପେ ୨୮ଶହ ଟଙ୍କାକୁ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସବୁ ପାଣିର ଗାର ପାଲଟିଥିଲା। ଏବେ ମୋହନ ସରକାର ସେମାନଙ୍କୁ ନ୍ୟାୟ ଦେବେ।
ସବୁ ଠିକା ପ୍ରାଇମେରୀ ଟିଚରଙ୍କୁ ନିୟମିତ ମାନ୍ୟତା ପ୍ରଦାନ ସହ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁଯାୟୀ ଦରମା। ଏ ଦୁଇ ଦଫା ଦାବିକୁ ନେଇ ସ୍କୁଲ ଛାଡ଼ି ଆନ୍ଦୋଳନରେ ରାଜ୍ୟ ରାଜଧାନୀରେ ସାମିଲ୍ ହଜାର ହଜାର ଶିକ୍ଷକ। ଯଦ୍ୱାରା ରାଜ୍ୟବ୍ୟାପୀ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ସୃଷ୍ଟି ହେଲାଣି। ତେଣେ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଆଜି ଅନୁରୋଧ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଶିକ୍ଷକମାନଙ୍କ ସମସ୍ୟା ଦୀର୍ଘ ଦିନର। ମୋହନ ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସେଥିପାଇଁ ଏକ କମିଟି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ନେତୃତ୍ୱରେ ୩ଜଣିଆ କମିଟି ଶିକ୍ଷକମାନଙ୍କ ସବୁ ଆପତ୍ତି ଅଭିଯୋଗ ଶୁଣି ୬ମାସ ଭିତରେ ରିପୋର୍ଟ ଦେବେ। ରିପୋର୍ଟ ଆସିଲେ ତର୍ଜମା କରି ସରକାର କିଭଳି ସମସ୍ୟାର ସମାଧାନ ହେବ ତା ଉପରେ ବିଚାର କରିବେ। ଏବେ ଦେଖିବାର କଥା- ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିବେଦନ ଓ ଶିକ୍ଷକଙ୍କ ଦାବି ଉପରେ ସରକାରଙ୍କ ବିଚାର ନେଇ ସୂଚନା ପରେ ଶିକ୍ଷକ ସଂଘ ସ୍କୁଲକୁ ଫେରୁଛନ୍ତି ନା ଜିଦ୍ ରେ ଅଟଳ ରହୁଛନ୍ତି।










