ହିଞ୍ଜିଳିକାଟୁ : ଲିଫ୍ଟ ଦେବାକୁ ମନା କରିବାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଖଣ୍ଡରା ଛକ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆକ୍ରମଣରେ ଖଣ୍ଡରା ଗ୍ରାମର ଉଦ୍ଦବ ପାଢ଼ୀ (୫୦) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଉଦ୍ଦବ ନିଜ ମୋଟରସାଇକେଲ ଯୋଗେ ଗାଁକୁ ଫେରୁଥିବା ବେଳେ ଖଣ୍ଡରା ଛକ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। ତେବେ ଉଦ୍ଦବ ଲିଫ୍ଟ ଦେବାକୁ ମନା କରିବାରୁ ଉକ୍ତ ବ୍ୟକ୍ତି ତାଙ୍କ ସହ ଯୁକ୍ତିତର୍କ କରିବା ପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉଦ୍ଦବଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ମଧ୍ୟ ଉଦ୍ଦବ ସାହସର ସହ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଖଣ୍ଡରା ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣାର ପ୍ରକୃତ କାରଣ, ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତି ଏବଂ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଖବର ଲେଖା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି।










