ଭୁବନେଶ୍ୱର: ଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ବାତିଲ ହେବାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା କରାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ବିଜେପି କ୍ଷମତାସୀନ ହେବାର ଅଠର ମାସରେ ଅଠରରୁ ଉଦ୍ଧ୍ୱର୍ ପରୀକ୍ଷା ବାତିଲ ହୋଇଛି, ଯାହା ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ପଦାରେ ପକାଉଛି । ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରାଜ୍ୟ ବିଜେପି ସରକାର ଏକ ନୂତନ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କ ଏହି ଅଠର ମାସ କେବଳ ପ୍ରଚାର ସର୍ବସ୍ୱ ହୋଇଛି । ରାଜ୍ୟର ଯୁବବର୍ଗ ଚାକିରିଟିଏ ହାସଲ କରିବା ଲକ୍ଷ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ପରୀକ୍ଷା ହଲରେ ପହଁଚିଲା ବେଳକୁ ପରୀକ୍ଷା ବାତିଲ ହୋଇଯାଉଛି । ତାହା ପୁଣି ବାରମ୍ୱାର ହେଉଛି । କିନ୍ତୁ, ସରକାର ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଓ କେବଳ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । ପରୀକ୍ଷା ବିଭ୍ରାଟକୁ ରୋକିବା ପାଇଁ ସରକାର ଗୋଟିଏ ଆଇନ ଆଣିଥିଲେ । ଏହି ଆଇନ କେଉଁଠି ଅଛି, ତାର ସ୍ଥିତି କଣ କେହି ଜାଣି ନାହାନ୍ତି । ବାରମ୍ୱାର ପରୀକ୍ଷା ବାତିଲ ହେବା ଦ୍ୱାରା ରାଜ୍ୟର ଯୁବବର୍ଗ ଏ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ଦେବେ । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ବିଜେପିର ବରିଷ୍ଠ ନେତା ମାନେ ଓଡିଶାକୁ ୟୁପି ମଡେଲ କରିବାକୁ ଚାହୁଁଛନ୍ତି । କିନ୍ତୁ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡିଶା ଏବେ ବିହାରକୁ ଟପିବାକୁ ବସିଲାଣି । ବିଜେପି ଓଡିଶାକୁ ଏକ ନମ୍ୱର ରାଜ୍ୟ କରିବ ବୋଲି କହିଥିଲା । ଓଡିଶା କେଉଁଥିରେ ଏକ ନମ୍ୱର ସ୍ଥାନ ହାସଲ କରୁ କି ନକରୁ, ବିଜେପି ସରକାରଙ୍କ ଦ୍ୱାରା ପ୍ରଶ୍ନପତ୍ର ପ୍ରଘଟ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ନମ୍ୱର ସ୍ଥାନ ହାସଲ କରିବ । ରାଜ୍ୟର ଯୁବ ଛାତ୍ର ବର୍ଗଙ୍କୁ ବାରମ୍ୱାର ହତାଶ କରୁଥିବା ଏହି ସରକାରଙ୍କୁ ରାଜ୍ୟର ଯୁବ ବର୍ଗ ବରଦାସ୍ତ କରିବେ ନାହିଁ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟର ଯୁବ ବର୍ଗଙ୍କ ସ୍ୱର ହେବ ଓ ଅତି ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ ।










