28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଆମେରିକାରେ ପାକ୍ ପିଏମ୍ ଓ ଆର୍ମି ଚିଫ୍‌ଙ୍କୁ ବ୍ୟାନ୍ ଦାବି

ଆମେରିକାରେ ପାକ୍ ପିଏମ୍ ଓ ଆର୍ମି ଚିଫ୍‌ଙ୍କୁ ବ୍ୟାନ୍ ଦାବି

ୱାଶିଂଟନ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ଏବଂ ଆର୍ମି ଚିଫ୍ ଆସିମ୍ ମୁନୀର୍‌ଙ୍କ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବା ପାଇଁ ଆମେରିକା ସଂସଦର ୪୪ ଜଣ ସାଂସଦ ବୁଧବାର ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ଏହି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନରେ ସେନା ସରକାର ଚଳାଉଛି। ଦେଶରେ ସାଧାରଣ ଲୋକଙ୍କ ଅଧିକାର ବଡ଼ ସ୍ତରରେ ହନନ ହେଉଛି। ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ପାକିସ୍ତାନୀ ମୂଳର ଆମେରିକୀୟ ନାଗରିକଙ୍କୁ ମଧ୍ୟ ଧମକ ଦିଆଯାଉଛି।

ଏହି ପତ୍ର ଡେମୋକ୍ରାଟିକ୍ ମହିଳା ସାଂସଦ ପ୍ରମିଳା ଜୟପାଲ୍ ଏବଂ ସାଂସଦ ଗ୍ରେଗ୍ କାସର୍‌ଙ୍କ ନେତୃତ୍ୱରେ ଲେଖାଯାଇଛି। ଏଥିରେ ସାଂସଦମାନେ କହିଛନ୍ତି, ପାକିସ୍ତାନରେ ଏକଛତ୍ରବାଦ ବୃଦ୍ଧି ପାଉଛି। ସାମ୍ବାଦିକଙ୍କୁ ଧମକ ଦିଆଯାଉଛି, ଅପହରଣ କରାଯାଉଛି କିମ୍ବା ଦେଶ ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି। ପତ୍ରରେ ଉଲ୍ଲେଖିତ କେତେକ ଘଟଣାରେ ଭର୍ଜିନିଆର ସାମ୍ବାଦିକ ଅହମଦ ନୁରାନୀଙ୍କ ମାମଲା ମଧ୍ୟ ସାମିଲ। ନୁରାନୀ ପାକିସ୍ତାନୀ ସେନାର ଭ୍ରଷ୍ଟାଚାର ଉପରେ ରିପୋର୍ଟିଂ କରିଥିଲେ। ଏହାପରେ ପାକିସ୍ତାନରେ ରହୁଥିôବା ତାଙ୍କର ଦୁଇ ଭାଇଙ୍କୁ ଏକମାସରୁ ଊର୍ଦ୍ଧ୍ୱ ସମୟ ଅପହରଣ କରି ରଖାଯାଇଥିଲା। ସେହିପରି ପ୍ରସିଦ୍ଧ ସଙ୍ଗୀତକାର ସଲମାନ୍ ଅହମଦଙ୍କ ଭିଣୋଇଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। ତେବେ ଆମେରିକା ହସ୍ତକ୍ଷେପ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ପତ୍ରରେ ସାଂସଦମାନେ ପାକିସ୍ତାନରେ ବୃଦ୍ଧି ପାଉଥିବା ଏକଛତ୍ରବାଦ ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି। ସେମାନଙ୍କ ଅନୁସାରେ ବିରୋଧୀ ଦଳ ନେତାଙ୍କୁ ବିନା ଅଭିଯୋଗରେ ଜେଲ୍‌ରେ ଭର୍ତ୍ତି କରାଯାଇଛି। ସାଧାରଣ ନାଗରିକଙ୍କୁ କେବଳ ମାତ୍ର ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ଗିରଫ କରାଯାଉଛି। ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ବିଶେଷକରି ବଲୁଚିସ୍ତାନର ଲୋକଙ୍କ ଉପରେ ସର୍ବାଧିକ ଅତ୍ୟାଚାର ହେଉଛି।

ସାଂସଦମାନେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବଡ଼ ଧରଣର ଗଡ଼ବଡ଼ ହୋଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ଉପରେ ସ୍ୱତନ୍ତ୍ର ପାକିସ୍ତାନୀ ସଂସ୍ଥାର ‘ପଟ୍ଟନ ରିପୋର୍ଟ’ ବ୍ୟତୀତ ସ୍ୱୟଂ ଆମେରିକା ବିଦେଶ ବିଭାଗ ମଧ୍ୟ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ପୂରା ଯାଞ୍ଚ୍ ପାଇଁ ଦାବି କରିଥିଲା। ଏହି ନିର୍ବାଚନ ଜରିଆରେ କେବଳ ଏକ ସଖୀକଣ୍ଢେଇ ସରକାର ଗଠନ କରାଯାଇଛି, ଯାହା ବାହାରୁ ଠିକ୍ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହାକୁ ସେନା ଚଳାଉଛି। ଆମେରିକା ବିଦେଶ ବିଭାଗ ମଧ୍ୟ ସେତେବେଳେ କହିଥିଲା ଯେ ନିର୍ବାଚନରେ ବହୁତ ବଡ଼ ଗଡ଼ବଡ଼ ହୋଇଛି ଏବଂ ଏହାର ଯାଞ୍ଚ୍ ହେବା ଆବଶ୍ୟକ। ଏବେ ଅବସ୍ଥା ଏପରି ହୋଇଛି ଯେ ସେନା ଚାପରେ ସାଧାରଣ ଜନତାଙ୍କ ମାମଲା ସେନା କୋର୍ଟରେ ଚାଲିପାରିବ ବୋଲି ପାକିସ୍ତାନର ସୁପ୍ରିମ୍‌କୋର୍ଟ ମଧ୍ୟ ନିଷ୍ପତ୍ତି ଶୁଣାଇଛନ୍ତି। ଫଳରେ କୋର୍ଟ ସମ୍ପୂର୍ଣ୍ଣ ଭାବେ ସେନା ନିୟନ୍ତ୍ରଣକୁ ଚାଲିଯାଇଛି ଏବଂ ଯେଉଁ ଅଧିକାରୀ କିମ୍ବା ଜେନେରାଲ୍ ଅତ୍ୟାଚାର କରୁଛନ୍ତି ସେମାନଙ୍କୁ ଦଣ୍ଡ ମିଳିବାର ରାସ୍ତା ବନ୍ଦ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking