ଭୁବନେଶ୍ୱର : ଗତ ନଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ୟ ଜଳ ବିଭାଗର ନଜରକୁ ଆସିଛି । ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ଜାଲିଆତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନକଲି ପତ୍ରଟି ସାମାଜିକ ଗଣମାଧ୍ୟମ ଗଣମାଧ୍ଯମ ଏବଂ ପ୍ରମୁଖ ଗଣମାଧ୍ୟମମାନଙ୍କରେ ବିସ୍ତୃତ ଭାବରେ ପ୍ରଚାର ହୋଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛି । ବିଭାଗ ପକ୍ଷରୁ ଏନେଇ ସାଇବର୍ କ୍ରାଇମ୍ ସେଲ୍ରେ ଏଫ୍ଆଇଆର୍ ମାମଲା ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି ଓ ଜାଲିଆତି ପତ୍ରର ସୃଷ୍ଟିକର୍ତ୍ତା, ଉତ୍ସ ଓ ପ୍ରଚାରକମାନଙ୍କ ଠିକଣା ଚିହ୍ନଟ କରି ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି । ସମସ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କୁ ଏହି ପତ୍ରକୁ ଗୁରୁତ୍ୱ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କୁ ସତର୍କ ରହିବା ସହ ଏହି ଜାଲିଆତି ପତ୍ରର ବିଷୟବସ୍ତୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଆଧିକରିକ ଭାବେ କେବଳ ସରକାରୀ ମାଧ୍ୟମରେ ଜାରି ହୋଇଥିବା ସୂଚନାକୁ ବିଶ୍ଵାସ କରିବାକୁ ଏବଂ ସନ୍ଦେହଜନକ ପତ୍ର ବା ଦଳିଲକୁ ସଙ୍ଗେ ସଙ୍ଗେ ଅଧିକାରୀଙ୍କ ନଜରକୁ ଆଣିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।









