ଭୁବନେଶ୍ୱର: ବର୍ତ୍ତମାନର ସରକାର ସବୁ ବର୍ଗର ମହିଳାମାନଙ୍କୁ ଆର୍ôଥକ ଓ ସାମାଜିକସ୍ତରରେ ମଜବୁତ କରିବା ପାଇଁ ନିରନ୍ତର ଭାବରେ ଚେଷ୍ଟିତ। ଭଦ୍ରକ ଜିଲ୍ଲାରେ ଘଟିଥିବା ଘଟଣା ନିଶ୍ଚୟ ଭାବରେ ଦୁର୍ଭାଗ୍ୟଜନକ। ପୁଲିସ ପାଖରେ ମାମଲା ବି ରୁଜୁ ହେଇସାରିଛି। ତଦନ୍ତ ପରିସରଭୁକ୍ତ ଅଛି, ଅଯଥାରେ ତା’ଭିତରକୁ ମିଶନ ଶକ୍ତି ବିଭାଗକୁ ଟାଣିବା ଗୋଟେ ଦାୟୀତ୍ୱପୂର୍ଣ୍ଣ ରାଜନୈତିକ ଦଳର ନୀତି ଓ ନୈତିକତା ଉପରେ ପ୍ରଶ୍ନ ଛିଡ଼ା କରିଛି। ଏହି ଘଟଣା ପାଇଁ ମିଶନ ଶକ୍ତି ବିଭାଗ କୌଣସି ପ୍ରକାର ଦାୟୀ ନୁହେଁ। ସୋମବାର ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ମୁଲତବି ପ୍ରସ୍ତାବ ଆଲୋଚନା ଶେଷରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ପ୍ରକାଶ କରିଛନ୍ତି। ଏହାର ଶୀର୍ଷକ ଥିଲା “ଭଦ୍ରକ ଜିଲ୍ଲାରେ ମା’ ନେଇଥିଲା ଏସ୍ଏଚ୍ଜି ଋଣ, କିସ୍ତି ଖିଲାପ ଯୋଗୁଁ ଝିଅ ମାଡ଼ ଖାଇ ଲହୁଲୁହାଣ । ମହିଳା ସଶକ୍ତିକରଣରେ ଏକଦା ସଫଳ ଓଡ଼ିଶାର ଏବେକାର ଏକ ଉଦାହରଣ’।
ଗୃହରେ ମୁଲତବି ଆଲୋଚନାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମହାଦ୍ରୁମରେ ପରିଣତ ହୋଇଥିବା ବେଳେ ଏହାର ଡାଳକୁ ସରକାର କାଟୁଛନ୍ତି। ଭଦ୍ରକ ଏସଏସଜି ମହିଳାଙ୍କୁ ମାଡ଼ମରା ଘଟଣାକୁ ରାଜ୍ୟ ସରକାର ହାଲକା ଭାବେ ନେବା ବିଭାଗୀୟ ମନ୍ତ୍ରୀଙ୍କ ଅମାନବୀୟତାର ପରିଚୟ। ମିଶନ ଶକ୍ତି ଆନ୍ଦୋଳନକୁ ଭୂଶୁଡ଼େଇ ଦେବାକୁ ବିଜେପି ସରକାର ଷଡ଼ଯନ୍ତ୍ର କରିଛି। ଯାହା ଫଳରେ ଗାଁ ଗାଁ ଏସ୍ଏ୍ସଜିରେ ଏପରି ଘଟଣା ଘଟୁଛି।
ମିଶନ ଶକ୍ତି ଦୌଡ଼ିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ, ହେଲେ ଆଜି ଭୁବନେଶ୍ୱରର ଗାନ୍ଧି ମାର୍ଗରେ ମିଶନ ଶକ୍ତି ଆଣ୍ଠେଇଛି। ମିଶନ ଶକ୍ତିର ଏମ୍ବିକେ, ସିଆରପିସିମାନଙ୍କୁ ଆଜି ଯାଏ ଦରମା ଦେଇନାହାନ୍ତି ସରକାର। କାମ କରୁଛି ମାଆ,ବିଜେପି ସରକାର ଦରମା ଦେଉନାହିଁ। ମିଶନ ଶକ୍ତି ଆଜି ସୁଭଦ୍ରା ଶକ୍ତି କରିଛନ୍ତି। ମିଶନ ଶକ୍ତିକୁ ରାଜନୈତିକ ଆନ୍ଦୋଳନରେ ପରିଣତ କରାଯାଇଛି। ଫଳରେ ବିଜେପି ସରକାରରେ ମିଶନ ଶକ୍ତି ବାଟମଣା ହୋଇଛି ବୋଲି ଶ୍ରୀ ଦାସ କହିଥିଲେ। ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ମତଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଆମ ସରକାର ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଆମ ସରକାର ମିଶନ ଶକ୍ତିକୁ ଅଧିକ ସଶକ୍ତ ଏବଂ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ମିଶନ ଶକ୍ତିର ମା’ମାନଙ୍କ ବିକାଶ ପାଇଁ ଯାହା ଆବଶ୍ୟକ ଆମ ସରକାର ସବୁକିଛି କରିବା ପାଇଁ ବ୍ୟବସ୍ଥା କରୁଅଛି। ଆମେ ଯାହା କହିଛୁ, କହିଛୁ, ତାହା ଅଳ୍ପ ସମୟର ବ୍ୟବ୍ୟବଧାନ ମଧ୍ୟରେ କରି ଓଡ଼ିଶାବାସୀଙ୍କୁ ପ୍ରମାଣ ଦେଇଛୁ ଏବଂ ସେମାନଙ୍କ ବିଶ୍ୱାସ ଜିତିଛୁ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ବିରୋଧରେ ବାରମ୍ବାର ମୁଲତବି ପ୍ରସ୍ତାବ ଆଗତ ହେବା ଉଦ୍ଦେଶ୍ୟ ପ୍ରଣୋଦିତ ହେବା ପରି ମନେ ହୁଏ, ଯାହାକି ଏହି ଗୃହ ପାଇଁ ଶୋଭନୀୟ ନୁହେଁ। ଆମ ସରକାର ସମୟରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁଭଦ୍ରା ଶକ୍ତି ମେଳାର ପ୍ରଦର୍ଶନ ଦେଖିଲା ପରେ ବିରୋଧୀ ଦଳର ବିଧାୟକମାନେ ମହିଳାଙ୍କ ସ୍ୱାବଲମ୍ବନରେ ସରକାରଙ୍କ ଭୂମିକାକୁ ନେଇ କୌଣସି ସନ୍ଦେହ ରଖିବା କଥା ନୁହେଁ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମିଶନ ଶକ୍ତି ବିଭାଗ ୧୬.୪୧ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷପତି ଦିଦି ସୃଷ୍ଟି କରିପାରିଛନ୍ତି। ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଲକ୍ଷପତି ଦିଦି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ମହିଳାମାନେ ଧାର୍ଯ୍ୟଲକ୍ଷ ଠାରୁ ବହୁ ଆଗରେ ଅଛନ୍ତି। ତେଣୁ ବିରୋଧୀ ବିଧାୟକ, ବିଧାୟିକାଙ୍କ ଦ୍ୱାରା ଆଗତ ମୁଲତବି ପ୍ରସ୍ତାବ ରାଜ୍ୟର ଛଅ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱୟଂ-ସହାୟକ ଗୋଷ୍ଠୀ ଓ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ମାଆଙ୍କ ପ୍ରତି ଅପମାନ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ତଥ୍ୟ ଉପରେ ତାହା ଆଧାରିତ ନୁହେଁ ବୋଲି ଉପମୁଖମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଶେଷରେ ମୁଲତବି ପ୍ରସ୍ତାବଟି ଗୃହରେ କାଟ ଖାଇଛି।
https://www.youtube.com/@ONAKhabar/videos










