ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଆଭାବନୀୟ ଘଟଣା । ଜଣେ ମହିଳାଙ୍କୁ ଯୌତୁକ ପାଇଁ ଗଳା କାଟି ହତ୍ୟା କରାଯାଇଛି । ମୁଜାଫରନଗର ଜିଲ୍ଲାର ଭୋପା ଥାନା ଅଞ୍ଚଳର କୋସୋଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପୀଡିତା ହିନା ଦୀର୍ଘ ଦିନ ଧରି ଯୌତୁକ ନିର୍ଯାତନାର ଶିକାର ହୋଇଆସୁଥିଲେ ଏବଂ ରବିବାର ସନ୍ଧ୍ୟାରେ ତାଙ୍କର ହତ୍ୟା କରାଯାଇଥିବା ସୂଚନା ମିଳିଛି । ହତ୍ୟା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ହିନାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ବିବାହ ୨୧ ମଇ, ୨୦୨୩ରେ ଖୁଶନସୀବଙ୍କ ସହ ହୋଇଥିଲା ଏବଂ ସେବେଠାରୁ ଯୌତୁକ ପାଇଁ ତାଙ୍କୁ ନିରନ୍ତର ନିର୍ଯାତନା ଦିଆଯାଉଥିଲା । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଶେଷରେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ । ଅଭିଯୋଗ ଆଧାରରେ ମହିଳାଙ୍କ ସ୍ୱାମୀ ଶୁଶନସୀବ, ଶ୍ୱଶୁର ଇନ୍ତଜାର, ଶାଶୁ ଫରଜାନା ଏବଂ ଦୁଇ ଦିଅରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ।










