36.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶ୪ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁତିନ୍‌

୪ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁତିନ୍‌

ମସ୍କୋ, ନୂଆଦିଲ୍ଲୀ: ୨୩ତମ ଭାରତ–ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଉଦ୍ଦେଶ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିବେ। ମସ୍କୋ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ରାଷ୍ଟ୍ରପତି ପୁତିନ୍‌ଙ୍କ ଭାରତ ଗସ୍ତ ପାଇଁ ଡିସେମ୍ବର ୪-୫ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଅବସରରେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ମଧ୍ୟ ସ୍ଥିରିକୃତ ହୋଇଛି। କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ଖବରକୁ ନିଶ୍ଚିତ କରାଯାଇଛି।

ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ପୁତିନ୍‌ଙ୍କୁ ସ୍ୱାଗତ କରିବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ରାଷ୍ଟ୍ରପତି ଭବନରେ ଏକ ରାତ୍ରଭୋଜିର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ପୁତିନ୍‌ଙ୍କ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ଭାରତ ଏବଂ ରୁଷ୍ ଉଭୟ ଦେଶର ନେତୃତ୍ୱକୁ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମୀକ୍ଷା କରିବା ଏବଂ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବ। ଏହା ସହିତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ, ଯାହା ଦୁଇ ଦୀର୍ଘକାଳୀନ ସହଯୋଗୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାର ଉପାୟ, ରୁଷ୍ ବିରୁଦ୍ଧରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଶକ୍ତି ସହଯୋଗକୁ ବୃଦ୍ଧି କରିବା, ପ୍ରତିରକ୍ଷା ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଏବଂ ୟୁକ୍ରେନ୍ ବିବାଦ ଆଲୋଚନାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେହିପରି ଭାରତ ରୁଷ୍ ଠାରୁ ଅତିରିକ୍ତ ବ୍ୟାଚ୍ ଏସ୍‌-୪୦୦ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କ୍ରୟ କରିବାକୁ ବିଚାର କରୁଛି ବୋଲି ଜଣାପଡ଼ିଛି।

ଗତ ଅଗଷ୍ଟ ମାସରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ପୁତିନଙ୍କ ଭାରତ ଗସ୍ତ ନେଇ ଘୋଷଣା କରାଯାଇଥିଲା। ହେଲେ ସେତେବେଳେ ତାରିଖ ଚୂଡ଼ାନ୍ତ ହୋଇନଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁତିନ୍ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ସମୟରେ ଚୀନରେ ସାକ୍ଷାତ କରିଥିଲେ। ଉଭୟ ଏକ କାରରେ ବସି ହୋଟେଲକୁ ଯିବା ସହ ଏକ ଘଣ୍ଟା ପାଇଁ ପୃଥକ୍ ଆଲୋଚନା ମଧ୍ୟ କରିବା ଦେଖିବାକୁ ମିଳିଥିଲା। ପ୍ରକାଶ, ପୁତିନ୍‌ଙ୍କ ଭାରତ ଗସ୍ତ ଏପରି ଏକ ସମୟରେ ହେବାକୁ ଯାଉଛି ଯେତେବେଳେ କି ରୁଷ ଠାରୁ ତୈଳ ଆମଦାନୀ କରୁଥିବାରୁ ଆମେରିକା, ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା। ଏହି ସମୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ରୁଷ୍ ସହିତ ଭାରତର ସମ୍ପର୍କ ନିବିଡ଼ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking