25.1 C
Bhubaneswar
Wednesday, March 25, 2026
Homeଓଡିଶାଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ

ଓଡ଼ିଶା ବିଶ୍ୱର ଶିଳ୍ପଦ୍ୟୋଗୀ, ନିବେଶକଙ୍କ ପ୍ରଥମ ପସନ୍ଦ
– ଓଡ଼ିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ୱ
– ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ପ୍ରଦର୍ଶିତ

ଭୁବନେଶ୍ୱର,ନୂଆଦିଲ୍ଲୀ: ଓଡ଼ିଶା ସରକାରର ଲକ୍ଷ୍ୟ ହେଉଛି ଟ୍ରାନ୍ସଫରମେସନାଲ୍ ଗ୍ରୋଥ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରୁଛି। ଦେଢ଼ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମି କ୍ଷେତ୍ରରେ ଭିଜନ ୨୦୩୬କୁ ଲକ୍ଷ୍ୟ କରି ୧୫ ହଜାର କିଲୋମିଟର ବିଶ୍ୱ ସ୍ତରୀୟ ସଡ଼କ, ବାହୁଦା ଓ କେନ୍ଦ୍ରାପଡ଼ାରେ ନୂତନ ବନ୍ଦର ଏବଂ ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପ୍ରତିଷ୍ଠା ଭଳି ବୃହତ ପ୍ରକଳ୍ପ ଆରମ୍ଭ କରାଯାଇଛି। ଶିଳ୍ପ କ୍ଷେତ୍ରରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଭୁବନେଶ୍ୱରକୁ ପୂର୍ବ ଭାରତର କେନ୍ଦ୍ରସ୍ଥଳୀ ଭାବରେ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଗ୍ରାଣ୍ଡ ପ୍ଲାନ୍ ରହିଛି। କାରଣ ଓଡ଼ିଶା ଏବେ ବିଶ୍ୱର ଶିଳ୍ପଦ୍ୟୋଗୀ ଏବଂ ନିବେଶକଙ୍କର ପ୍ରଥମ ପସନ୍ଦ ରାଜ୍ୟ।

ଶନିବାର ନୂଆଦିଲ୍ଲୀରେ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ର ନବମ ଦିବସରେ ପାଳିତ ଓଡ଼ିଶା ରାଜ୍ୟ ଦିବସରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ୍ ସେମିକଣ୍ଡକ୍ଟର୍ ଚିପ୍ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ। ଏହା ଆମ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଉତ୍କର୍ଷ ଓଡ଼ିଶା: ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ’ ମାଧ୍ୟମରେ ବିଶ୍ୱର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ହେଉ, ଓଡ଼ିଶାର ସୁଦକ୍ଷ ଯୁବଗୋଷ୍ଠୀ ଓ ସେମାନଙ୍କ ଷ୍ଟାର୍ଟ-ଅପ ଉତ୍ପାଦକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଅଥବା ଓଡ଼ିଶାରେ ଉତ୍ପାଦିତ ଶ୍ରୀଅନ୍ନ ବିସ୍ମୃତ ଖାଦ୍ୟ ବିଶ୍ୱ ବଜାର ସୁବିଧା ଉପଲବ୍ଧ କରିବାକୁ ନିକଟ ଅତୀତରେ ଅନ୍ତର୍ଜାତୀୟ ମିଲେଟ କନଭେନସନ ଆୟୋଜନ ହେଉ, ପ୍ରତ୍ୟେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ପ୍ରଗତିଶୀଳ ନୀତିକୁ ସମଗ୍ର ବିଶ୍ୱ ସକାରାତ୍ମକ ଦୃଷ୍ଟିରେ ଦେଖୁଛି। ଏହି ଅବସରରେ ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ମୁଖ୍ୟମନ୍ତ୍ରୀ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ୱୟର ସ୍ୱତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କରିଥିଲେ।

ଏଥିସହିତ ସେ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ବିଭିନ୍ନ ବିଭାଗର ଷ୍ଟଲ୍ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି, ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ନୁପୁର ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ନିରଞ୍ଜନ ବିଶି, ସୁଜିତ କୁମାର, ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking