ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଜିଲ୍ଲା ମୟୂରଭଞ୍ଜ ଏବେ ରାଜ୍ୟ ସରକାରଙ୍କ ଫୋକସ୍ରେ ରହିଛି । ଦୀର୍ଘ ଦିନ ଧରି ପଛୁଆ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜକୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ଗତ ଅକ୍ଟୋବର ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଅର୍ଥ ବିଭାଗ ସଚିବ, କୃଷି ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ, ଗଣଶିକ୍ଷା ବିଭାଗ ସଚିବ, ପର୍ୟ୍ୟଟନ ସଚିବ, ମୁଖ୍ୟ ବଣ୍ୟପ୍ରାଣୀ ସଂଗ୍ରକ୍ଷକ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ବିକାଶର ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି ।










