ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସ୍ୱର୍ଗତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ , ଶିକ୍ଷା ଏବଂ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ୧୦୦ ଟଙ୍କାର ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଚ ଉନ୍ମୋଚନ କରିଛନ୍ତି । ଶ୍ରୀ ସତ୍ୟସାଇଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ମୋଦି ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କେ ରାମ ମୋହନ ନାଇଡୁ, ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ତ୍ତା କେବଳ ପୁସ୍ତକ, ପ୍ରବଚନ ଏବଂ ଆଶ୍ରମରେ ସୀମିତ ନୁହେଁ। ତାଙ୍କ ଶିକ୍ଷାର ପ୍ରଭାବ ଲୋକଙ୍କ ମଧ୍ୟରେ ଦୃଶ୍ୟମାନ। ସେ ଆହୁରି କହିଛନ୍ତି ଯେ ଆଜି ଭାରତର ସହରଠାରୁ ଛୋଟ ଗାଁ, ସ୍କୁଲରୁ ଆଦିବାସୀ ବସତି ପର୍ଯ୍ୟନ୍ତ, ସଂସ୍କୃତି, ଶିକ୍ଷା ଏବଂ ଚିକିତ୍ସା ସେବାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ଦୃଶ୍ୟମାନ ହେଉଛି । ମୋଦୀ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶରେ ଅନେକ ଯୋଜନା ଆରମ୍ଭ ହୋଇଛି ଯାହା ନାଗରିକଙ୍କ ସାମାଜିକ ସୁରକ୍ଷାକୁ ଯଥେଷ୍ଟ ସୁଦୃଢ଼ କରିଛି ଏବଂ ଦେଶର ଗରିବ ଏବଂ ବଞ୍ଚିତ ଲୋକମାନେ ନିରନ୍ତର ସାମାଜିକ ସୁରକ୍ଷା ପରିସରକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ସରକାର ୧୦ ବର୍ଷ ପୂର୍ବେ ଝିଅମାନଙ୍କ ଶିକ୍ଷା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଧ୍ୟାନ ଦେଇ ସୁନିଶ୍ଚିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦେଶର ଏପରି ଯୋଜନା ମଧ୍ୟରୁ ଗୋଟିଏ ଯାହା ସର୍ବାଧିକ ୮.୨% ସୁଧ ହାର ପ୍ରଦାନ କରେ।










