ଭୁବନେଶ୍ୱର: କଂଗ୍ରେସକୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ଧନ୍ୟବାଦ ସଭାରେ କଂଗ୍େରସକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ । କଟାକ୍ଷ କରି କହିଛନ୍ତି ଯେ ପିସିସି ସଭାପତି କହୁଛନ୍ତି ବିଭୀଷଣ ପାଇଁ କଂଗ୍ରେସ ପରାଜୟ ହେଲା । ବିଭୀଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଶୂନ ହୋଇଯିବ କଂଗ୍ରେସ । କାହିଁକି ନା କଂଗ୍ରେସ ଦଳରେ ୭୦ ପ୍ରତିଶତ ବିଭୀଷଣ । କର୍ମ ତୋର ନିଜ ଗୁରୁ, ଉଦ୍ଧବ କେତେ ତୁ ପଟାରୁ କହି କଟାକ୍ଷ କଲେ । ଏହା ସହ ସଭାରେ ନୂଆପଡ଼ା ବିଜୟର ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ । ବିଜୟର ଶ୍ରେୟ ଦେଇ କହିଛନ୍ତି ଯେ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାରୁ ସଫଳତା ମିଳିଛି । ଏହା କେବଳ ଆମର ରାଜନୈତିକ ବିଜୟ ନ ଥିଲା । ବିଶ୍ବାସ ଓ ସେବାଭାବର ବିଜୟ ଥିଲା । ରାଜ୍ୟ କାର୍ଯ୍ୟାଳୟରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗତକାଲି ନୂଆପଡା ପରାଜୟ ପରେ ଶତ୍ରୁ ଗୃହ ବିଭୀଷଣ କଥା ଉଠାଇ ପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲୁ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ । ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ମତଦାନ ହୋଇଥିବା ବେଳେ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଥିଲେ । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଥିଲେ ।










