ବିହାର: ବିହାରରୁ ହଟିଲା ଆଦର୍ଶ ଆଚରଣ ସଂହିତା। ବିହାର ସମେତ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଆଦର୍ଶ ଆଚରଣ ସଂହିତା ହଟାଇଲେ ଇସିଆଇ। ୧୪ ନଭେମ୍ବରରେ ବିହାରର ନିର୍ବାଚନ ଏବଂ ଛଅ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଉପନିର୍ବାଚନ ପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆଦର୍ଶ ଆଚରଣ ସଂହିତା ନଭେମ୍ବର ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ରବିବାର ଏକ ବିଜ୍ଞପ୍ତି ପ୍ରକାଶ କରି ଉପସଚିବ ପ୍ରଫୁଲ୍ଲ ଅବସ୍ଥୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୬ ତାରିଖରେ ନିର୍ବାଚନ କମିଶନ ବିହାର ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବା ସହିତ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିଲା। ବିହାରର ଜିଲ୍ଲା ମାଜିଷ୍ଟ୍ରେଟମାନେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ), ୨୦୨୩ର ଧାରା ୧୬୩ ଅନୁଯାୟୀ ଆଦର୍ଶ ଆଚରଣ ସଂହିତା ସମାପ୍ତ ନହେବା ପର୍ଯ୍ୟନ୍ତ ପ୍ରତିବନ୍ଧକ ଆଦେଶ ଜାରି କରିଛନ୍ତି, ଯାହା ଜିଲ୍ଲାରେ ବିଜୟ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିଥିଲେ। ବିହାର ନିର୍ବାଚନ ସମେତ ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା କରାଯାଇଥିଲା।










