28.1 C
Bhubaneswar
Wednesday, February 4, 2026
Homeଓଡିଶାସଚେତନତା ହିଁ ସଶକ୍ତିକରଣର ପ୍ରଥମ ପାହାଚ: ରାଜ୍ୟପାଳ

ସଚେତନତା ହିଁ ସଶକ୍ତିକରଣର ପ୍ରଥମ ପାହାଚ: ରାଜ୍ୟପାଳ

ଭୁବନେଶ୍ୱର: ସଚେତନତା ହିଁ ସଶକ୍ତିକରଣର ପ୍ରଥମ ପାହାଚ ଏବଂ ପ୍ରକୃତ ସଶକ୍ତିକରଣ ହିଁ ମହିଳାଙ୍କୁ ମର୍ଯ୍ୟାଦା ପ୍ରଦାନ କରେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି I ଶନିବାର ଦିନ ଭୁବନେଶ୍ୱର ଠାରେ ଓଡ଼ିଶା ମେନୋପଜ୍ ସୋସାଇଟି ଏବଂ ଓଡ଼ିଶା ଅବଷ୍ଟେଟ୍ରିସିଆନ୍ସ ଆଣ୍ଡ ଗାଇନେକୋଲୋଜିଷ୍ଟସ ଆସୋସିଏସନ (ଏଓଜିଓ) ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ମେନୋପଜ୍ ସମ୍ମିଳନୀ ୨୦୨୫ କୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ ମେନୋପଜ୍ ମହିଳାଙ୍କ ଦ୍ୱାରା ଅନୁଭବ କରାଯାଉଥିବା ଏକ ପ୍ରାକୃତିକ ଜୈବିକ ପରିବର୍ତ୍ତନ ହେଲେ ମଧ୍ୟ କଳଙ୍କ ଆଶଙ୍କା, ନୀରବତା ଏବଂ ଭୁଲ ବୁଝାମଣା ଯୋଗୁଁ ଏହା ପ୍ରାୟତଃ ଏଡ଼ାଇ ଦିଆଯାଇଥାଏ। ମେନୋପଜ୍ ସମ୍ବନ୍ଧରେ ଖୋଲାଖୋଲି ଆଲୋଚନା କରି ମହିଳାମାନଙ୍କୁ ବୈଜ୍ଞାନିକ ଜ୍ଞାନ ଏବଂ ସହାନୁଭୂତିଶୀଳ ଯତ୍ନ ପ୍ରଦାନ କରୁଥିବା ଡାକ୍ତର, ଗବେଷକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଭାରତରେ ୪୫ ବର୍ଷରୁ ଅଧିକ ବୟସର ୧୩୦ ନିୟୁତରୁ ଅଧିକ ମହିଳା ଅଛନ୍ତି ଯେଉଁମାନେ ମେନୋପଜ୍ ପରେ ସେମାନଙ୍କ ଜୀବନର ଏକ ତୃତୀୟାଂଶ ଭାଗ ଜୀବନ ଅତିବାହିତ କରନ୍ତି। ଏହି ପରିବର୍ତ୍ତିତ ଜନସଂଖ୍ୟାଗତ ପରିବର୍ତନ ନୂତନ ଚ୍ୟାଲେଞ୍ଜ ଆଣିଥାଏ I ବିଶେଷତଃ ସୁସ୍ଥ ଓ ଯତ୍ନଶୀଳ ସ୍ୱାସ୍ଥ୍ୟସେବା ପରିଧି ବଢ଼ାଇବାକୁ ନିଶ୍ଚିତ କରିବାରେ ଏକ ସୁଯୋଗ ପ୍ରଦାନ କରୁଛି। ମେନୋପଜ୍‌ର ବ୍ୟାପକ ପ୍ରଭାବକୁ ଗୁରୁତ୍ୱ ଦେଇ ରାଜ୍ୟପାଳ କହିଛନ୍ତି ଯେ ଏହା କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ବରଂ ଭାବନାତ୍ମକ ଏବଂ ସାମାଜିକ ସୁସ୍ଥତାକୁ ମଧ୍ୟ ଏହା ପ୍ରଭାବିତ କରେ। ଅଷ୍ଟିଓପୋରୋସିସ୍, ହୃଦରୋଗ ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି ଚିକିତ୍ସା ସମସ୍ୟା ଉପରେ ଧ୍ୟାନ ଦେବା ଆବଶ୍ୟକ ହେଲେ ମଧ୍ୟ ପରିବାର, କାର୍ଯ୍ୟକ୍ଷେତ୍ର ଏବଂ ସମାଜ ଏହି ପର୍ଯ୍ୟାୟରେ ମହିଳାମାନଙ୍କ ଭାବନାତ୍ମକ ଆବଶ୍ୟକତାକୁ ଚିହ୍ନଟ କରି ସମର୍ଥନ କରିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ସମ୍ବେଦନଶୀଳତା ଏବଂ ବୁଝାମଣା ଏ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ବୋଲି ରାଜ୍ୟପାଳ କହିଥିଲେ।

ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇ ରାଜ୍ୟପାଳ ଭାରତୀୟ ମେନୋପଜ୍ ସୋସାଇଟିକୁ ଦେଶବ୍ୟାପୀ ଅଭିଯାନର ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗ ମେନୋପଜ୍‌କୁ ଉତ୍ତମ ଭାବେ ବୁଝିପାରିବେ। ମେନୋପଜ୍‌କୁ ଏକ ଅନ୍ତ ଭାବରେ ନୁହେଁ ବରଂ ଶକ୍ତି, ଜ୍ଞାନ ଏବଂ ଉଦ୍ଦେଶ୍ୟ ଦ୍ୱାରା ଚିହ୍ନିତ ଜୀବନର ଏକ ନୂଆ ପର୍ଯ୍ୟାୟ ଭାବେ ଦେଖାଯିବା ଉଚିତ୍ ବୋଲି ସେ କହିଛନ୍ତି। ଓଡ଼ିଶା ମେନୋପଜ୍ ସୋସାଇଟି, ଏଓଜିଓ ଏବଂ ଅନ୍ୟ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ସମ୍ମିଳନୀର ଥିମ୍ ‘ମେନୋପଜ୍‌ରେ ଜ୍ଞାନ ଏବଂ ଯତ୍ନର ଅଗ୍ରଗତି’ ସମୟୋଚିତ ଏବଂ ପ୍ରଭାବଶାଳୀ ଉପରେ ଆଲୋକପାତ କରି ଡିଜିଟାଲ ସ୍ୱାସ୍ଥ୍ୟ, ଟେଲିମେଡିସିନ୍ ଏବଂ ମାନସିକ ସୁସ୍ଥତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପଦକ୍ଷେପକୁ ସ୍ୱାଗତ କରି ରାଜ୍ୟପାଳ କହିଛନ୍ତି ଯେ ବିଶେଷ କରି ଗ୍ରାମାଞ୍ଚଳରେ ଏହି ଭଳି ଅଭିନବ ପଦକ୍ଷେପ ସ୍ୱାସ୍ଥ୍ୟ ଯତ୍ନର ଉପଲବ୍ଧତାକୁ ଉନ୍ନତ କରିପାରିବ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମେନୋପଜ୍ ସୋସାଇଟିର ଅଧ୍ୟକ୍ଷା ଅନିତା ଶାହା, ଓଡ଼ିଶା ମେନୋପଜ୍ ସୋସାଇଟିର ସଭାପତି ଅଭୟ କୁମାର ପଟ୍ଟନାୟକ, ଓଡ଼ିଶା ଅବଷ୍ଟେଟ୍ରିସିଆନ୍ସ ଆଣ୍ଡ ଗାଇନେକୋଲୋଜିଷ୍ଟସ ଆସୋସିଏସନର ଅଧ୍ୟକ୍ଷା ଡ. ସୁଜାତା ମିଶ୍ର ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜକ ଅଧ୍ୟକ୍ଷ ଡ. ଏଚ.ପି. ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆୟୋଜକ ସମ୍ପାଦକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

https://www.youtube.com/@ONAKhabar/videos

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking