ଢେଙ୍କାନାଳ: ନିର୍ବନ୍ଧ ପାଇଁ ଭିଡିଓ ସୁଟିଂ କରିବା ପାଇଁ ଆସିଥିଲେ । କିନ୍ତୁ ପୋଖରୀ ଭିତରୁ ମିଳିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମଠ ନିକଟରେ ଥିବା ଅରଜଙ୍ଗ ଥାନା ସାଆନ୍ଦ ଗ୍ରାମର ରାଜେଶ କୁମାର ପାଣିଙ୍କର ମୃତଦେହ ଉଦ୍ଧାର ହଇଛି । ଭିଡିଓ ସୁଟିଂ ପାଇଁ ମୁକ୍ତାପଶି ଆସିଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ରାଜେଶ ଦୁଇ ଦିନ ତଳେ ଗାଁରେ ଏକ ନିର୍ବନ୍ଧ ସୁଟିଂ ଥିବା କହି ଆସିଥିଲେ । ସନ୍ଧ୍ୟା ଯାଏଁ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡକୁ ଖୋଜାଖୋଜି କରିଥିଲେ । ପରେ ଥାନାରେ ଏତଲା ଦେଇଥିଲେ । ତେବେ ଗତକାଲି ମୁକ୍ତାପଶି ଗାଁନିକଟରେ ଥିବା ଏକ ମଠୁ ପୋଖରୀରୁ ରାଜେଶଙ୍କର ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜେଶଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










