କଟକ: ଚଳିତ ବର୍ଷ ଓଡ଼ିଶାର ସର୍ବବୃହତ୍ ସାଂସ୍କୃତିକ ତଥା ସାମୁଦ୍ରିକ ମେଳା ଐତିହାସିକ ବାଲିଯାତ୍ରା ୨୦୨୫ରେ ଭାରତୀୟ ନୌସେନା ସାମିଲ ହୋଇଛନ୍ତି । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ସହିତ ନୌସେନାର କାର୍ଯ୍ୟକ୍ଷମତା, ପ୍ରଯୁକ୍ତିଗତ ଅଗ୍ରଗତି ଏବଂ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ପ୍ରଦର୍ଶନ କରିବା ଏହି ଅଂଶଗ୍ରହଣର ମୂଳ ଲକ୍ଷ ରହିଛି । ବାଲିଯାତ୍ରାରେ ନୌସେନା ପାଭିଲିୟନ୍ର ପ୍ରଧାନ ଆକର୍ଷଣ ହେଉଛି ଓଡ଼ିଶା ସାମୁଦ୍ରିକ ଐତିହ୍ୟ ଷ୍ଟଲ୍, ଯାହା ରାଜ୍ୟର ଗୌରବମୟ ସାମୁଦ୍ରିକ ଯାତ୍ରାର ଇତିହାସକୁ ଚିତ୍ରଣ କରୁଛି । ଏବଂ ନୌସେନାରେ କ୍ୟାରିଅର୍ ଅବସର ସମ୍ପର୍କରେ ଆଶାୟୀମାନଙ୍କୁ ସୂଚନା ଓ ମାର୍ଗଦର୍ଶନ ଯୋଗାଇ ଦେଉଛି । ଏହା ବ୍ୟତୀତ ଏଚ୍କ୍ୟୁଇଏନ୍ସିର — ନେଭାଲ୍ ଡକ୍ୟାର୍ଡ (ଭିଜେଡଜି ), ଆଇଏନ୍ଏସ୍ ଏକ୍ସିଲା, ଆଇଏନ୍ଏସ୍ କର୍ଣ୍ଣ ଏବଂ କମ୍ନେଟସେନ୍ (ଭିଜେଡଜି) — ବିଭିନ୍ନ ୟୁନିଟ୍ ମଧ୍ୟ ନୌସେନାର ବିଭିନ୍ନ କାର୍ଯ୍ୟକଳାପର ବିଶେଷ ଦିଗଗୁଡ଼ିକୁ ଉଜାଗର କରି ଷ୍ଟଲ୍ ସ୍ଥାପନ କରିଛନ୍ତି । ଏହି ପ୍ରଦର୍ଶନୀଗୁଡ଼ିକ ନୌସେନାର ସ୍ୱଦେଶୀ ଜାହାଜ ନିର୍ମାଣ, ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା, ଉନ୍ନତ ଯୋଗାଯୋଗ ପ୍ରଯୁକ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ଉଦ୍ୟୋଗ ଅନୁଯାୟୀ ବିକଶିତ ନବୀନ ଯାନ୍ତ୍ରିକ ସମାଧାନଗୁଡ଼ିକର ଅଗ୍ରଗତିକୁ ପ୍ରଦର୍ଶିତ କରୁଛି। ବାଲିଯାତ୍ରା ୨୦୨୫ରେ ଅଂଶଗ୍ରହଣ ମାଧ୍ୟମରେ ଭାରତୀୟ ନୌସେନା ସାମୁଦ୍ରିକ ସଚେତନତା ବୃଦ୍ଧି କରିବା, ଜନସାଧାରଣଙ୍କ ସହ ଯୋଗାଯୋଗ ସ୍ଥାପନ କରିବା, ଯୁବପୀଢ଼ିକୁ ପ୍ରେରଣା ଯୋଗାଇବା ନେଇ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।










