27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଅସାବଧାନତା ନେଲା ଜୀବନ: ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌, ୬ ମୃତ

ଅସାବଧାନତା ନେଲା ଜୀବନ: ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌, ୬ ମୃତ

ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳରେ ଏକ ଅତ୍ୟନ୍ତ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି। ବୁଧବାର ସକାଳ ପ୍ରାୟ ୯.୩୦ ମିନିଟ୍ ସମୟରେ ଚୋପାନ୍‌-ପ୍ରୟାଗରାଜ୍ ଏକ୍ସପ୍ରେସ୍ ଚୁନାର ରେଳ ଷ୍ଟେସନର ଚତୁର୍ଥ ପ୍ଲାଟଫର୍ମରେ ଅଟକିଥିଲା। ଫଳରେ ଏହି ଟ୍ରେନ୍‌ରେ ଆସିଥିବା ଯାତ୍ରୀମାନେ ଓହ୍ଲାଇବା ଆରମ୍ଭ କରିଥିଲେ। କିନ୍ତୁ କିଛି ମହିଳା ଯାତ୍ରୀ ପ୍ଲାଟଫର୍ମ ଆଡକୁ ନ ଓହ୍ଲାଇ ଟ୍ରେନ୍‌ର ଭୁଲ୍ ପାର୍ଶ୍ୱରେ ଓହ୍ଲାଇଥିଲେ। ସେମାନେ ବାହାରକୁ ବାହାରିବା ପାଇଁ ଓଭରବ୍ରିଜ୍‌ରେ ଯିବା ପରିବର୍ତ୍ତେ ସର୍ଟକର୍ଟ ନେବାକୁ ଚାହିଁଥିଲେ। ଫଳରେ ସେମାନେ ତରବରରେ ୩ୟ ପ୍ଲାଟଫର୍ମ କ୍ରସ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ଟ୍ରାକ୍‌ରେ କାଲକା-ହାୱଡ଼ା ଏକ୍ସପ୍ରେସ୍ ଦ୍ରୁତଗତିରେ ଆସୁଥିବାର ସେମାନେ ଦେଖିପାରିନଥିଲେ। ଫଳରେ ଏକ୍ସପ୍ରେସଟି ସେମାନଙ୍କୁ ମାଡ଼ିଯାଇଥିଲା। ଦୁର୍ଘଟଣାରେ ମୋଟ୍ ୬ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ମନ୍ତ୍ରୀ ସଞ୍ଜୀବ କୁମାର ଗୌଡ଼ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରୁ ୫ ଜଣ ମିର୍ଜାପୁର ଜିଲ୍ଲାର ଏବଂ ଜଣେ ସୋନଭଦ୍ର ଜିଲ୍ଲାର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ନାମ ସବିତା (୨୮), ସାଧନା (୧୬), ଶିବ କୁମାରୀ (୧୨), ଅଞ୍ଜୁ ଦେବୀ (୨୦), ସୁଶୀଳା ଦେବୀ (୬୦) ଏବଂ କଳାବତୀ (୫୦)।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking