ଦିଗପହଣ୍ଡି: ଆଜି କାର୍ତ୍ତିକ ମାସର ଶେଷ ସୋମବାରରେ ବୁଡ ପକାଇବା ପାଇଁ ଯାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସ୍ଥିତ ଘୋଡାହାଡ ଡ୍ୟାମ ନଦୀରେ ଏହି ଅଘଟଣ ଘଟିଛି । ମୃତ ଦୁଇ ମହିଳାଙ୍କୁ ଲଳିତା ପାଢୀ ଏବଂ ସବିତା ଗୌଡ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକର ସେବକ ଟିକରପଡା ଗାଁର ଦୁଇ ମହିଳା ଆଜି ଭୋର ପ୍ରାୟ ୪ଟା ସମୟରେ କାର୍ତ୍ତିକ ମାସ ପାଇଁ ପବିତ୍ର ବୁଡ ପକାଇବା ପାଇଁ ନଦୀକୁ ଯାଇଥିଲେ । କିନ୍ତୁ ସେମାନେ ଗାଧୋଉଥିବା ସମୟରେ, କୌଣସି ପ୍ରକାରେ ଗଭୀର ପାଣିରେ ବୁଡି ଯାଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ନ ମିଳିବାରୁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଦୁଇ ମହିଳାଙ୍କ ମୃତଦେହ ଘଟଣାସ୍ଥଳରୁ ପାଞ୍ଚ କିଲୋମିଟର ଦୂରରେ ନଦୀରେ ମିଳିଥିଲା । ଘଟଣା ପରେ ଅଞ୍ଚଳରେ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।










