18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାଁରେ ନକଲି ଆଧାର କାର୍ଡ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାଁରେ ନକଲି ଆଧାର କାର୍ଡ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାଁରେ ନକଲି ଆଧାର କାର୍ଡ । ଏନ୍‌ସିପି (ଏସ୍‌ପି) ବିଧାୟକ ରୋହିତ ପାୱାର ଟ୍ରମ୍ପଙ୍କ ନାଁରେ ନକଲି ଆଧାର କାର୍ଡ ପ୍ରସ୍ତୁତି ଏବଂ ନକଲି ଭୋଟରଙ୍କୁ ପଞ୍ଜୀକୃତ କରିବାରେ ଏହାର ଉପଯୋଗ ବିଷୟରେ ଦର୍ଶାଇବା ପରେ ମୁମ୍ବାଇ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏକ ୱେବ୍‌ସାଇଟ୍‌ରେ କିଭଳି ନକଲି ଆଧାର କାର୍ଡ ପ୍ରସ୍ତୁତ ହେଉଥିଲା ଏବଂ ନକଲି ଭୋଟର ପଞ୍ଜୀକୃତ ହେଉଥିଲେ, ଗତ ଅକ୍ଟୋବର ୧୬ ତାରିଖରେ ଏକ ପ୍ରେସ୍‌ ସମ୍ମିଳନୀରେ ପାୱାର ଦେଖାଇଥିଲେ ।ବିଜେପିର ସୋସିଆଲ ମିଡିଆ ସେଲ୍‌ ସହ-ସଂଯୋଜକ ଧନଞ୍ଜୟ ୱାଗାସ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ବିଷୟକୁ ଦେଖିଥିଲେ । ଏଥିରେ ତାଙ୍କ ପାର୍ଟିର ଜଣେ ପଦାଧିକାରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ୱାଗାସ୍କର ଉକ୍ତ ଅଜ୍ଞାତ ଆଧାର ପ୍ରସ୍ତୁତକର୍ତ୍ତା, ୱେବ୍‌ସାଇଟ୍‌ର ମାଲିକ ଏବଂ ଅନ୍ୟମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କଲେ । ଅଭିଯୋଗରେ ୱାଗାସ୍କର ଦାବି କଲେ ଯେ ରାଜନେତାଙ୍କ ଠକେଇ କାର୍ୟ୍ୟ ଭାରତର ଏକ ସ୍ୱୟଂଚାଳିତ ସଂସ୍ଥା ତଥା ତାଙ୍କ ପାର୍ଟି (ବିଜେପି) ବିରୋଧରେ ଲୋକଙ୍କ କ୍ରୋଧ ଓ ଘୃଣାକୁ ବଢ଼ାଇଛି, ଯାହା ସାମାଜିକ ନିରାପତ୍ତା ପାଇଁ ବିପଦପୂର୍ଣ୍ଣ । ଏକ ନକଲି ୱେବ୍‌ସାଇଟ ଜରିଆରେ ନକଲି ଆଧାର କାର୍ଡ ପ୍ରସ୍ତୁତି କରି ସମାଜରେ ଦୁଇଟି ସମୂହ ମଧ୍ୟରେ ମତଭେଦ ଓ ଶତ୍ରୁତା ତଥା ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କଲେ ।

ୱାଗାସ୍କରଙ୍କ ଅଭିଯୋଗ ଆଧାରରେ ସାଇବର ପୁଲିସ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଜାଲିଆତି, ପରିଚୟ ଚୋରି, ମିଛ ଖବର ପ୍ରସାର ଆଦି ମାମଲାରେ ଏକ ମାମଲା ରୁଜୁ କରିଛି । ଗତ ୧୬ ତାରିଖରେ ରୋହିତ ପାୱାର ଅଭିଯୋଗ କରିଥିଲେ, ଗତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପକ୍ଷରେ ଫଳ ଅସିବା ପରେ ନକଲି ଭୋଟର ପଞ୍ଜୀକରଣ, ପ୍ରକୃତ ଭୋଟରଙ୍କ ନାଁ ହଟାଇବା ଏବଂ ଭୋଟରଙ୍କ ନାଁ ଦି’ଥର ପଞ୍ଜୀକରଣ ଭଳି ତ୍ରୁଟିପୂର୍ଣ୍ଣ କାର୍ୟ୍ୟ କରାଯାଇଥିଲା । ସପକ୍ଷରେ ନ ଥିବା ଭୋଟରଙ୍କୁ ମୃତ ଦର୍ଶାଯାଇଥିଲା ଏବଂ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଭୋଟିଂ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking