ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଜଣେ ଓଡ଼ିଆ ମହିଳାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ଗଜପତି ଜିଲ୍ଲା କାଶୀନଗର ସହର ମଧ୍ୟରେ ଥିବା ବନାଲାସାହି ବାସିନ୍ଦା ରୋକମ ଲଳିତାମ୍ମା ବୋଲି ଚିହ୍ନଟ କରାଯାଇଛି। ସେ ଆନ୍ଧ୍ରପ୍ରଦଶର ଶ୍ରୀକାକୁଲମ ଜିଲ୍ଲାର ବଳଦା ଗ୍ରାମର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରନ୍ତି। ସେ ସବୁବେଳେ ବସ୍ରେ ନିଜ କାର୍ଯ୍ୟ କ୍ଷେତ୍ରକୁ ଯିବା ଆସିବା କରିଥାନ୍ତି। କିନ୍ତୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ସ୍କୁଟିରେ ବାହାରିଥିଲେ। ଯିବା ରାସ୍ତାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କିଡ଼ିଗାଁ ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା। ଦୁର୍ଘଟଣାରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଆନ୍ଧ୍ରପ୍ରଦେଶ ପୋଲିସ ପହଞ୍ଚି ଶବ ଜବତ କରି ପୁରୁଣାପଟନା ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।










