15.1 C
Bhubaneswar
Monday, February 9, 2026
Homeଓଡିଶାଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟଯେ, ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରା ଠାରେ ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ।

ଉକ୍ତ ବୈଠକରୁ ଜଣା ପଡିଛି ଯେ, ଏହି କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷା ର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ । ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକଟସ, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ ।

ଏହି ଅଂଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ବର୍ଷ ତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅଂଚଳରେ ହାତୀ ଉପଦ୍ରବ ଅଧିକ ରହୁଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହାର ଉଚିତ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ Deep trenches ଦ୍ୱାରା ମଣିଷ-ହାତୀଙ୍କର ସଂଘର୍ଷକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନୂତନ ନିର୍ମାଣ ଯୋଗୁଁ ସେହି ସ୍ଥାନ ଦେଇ ବହି ଯାଉଥିବା ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୁର ରୁହେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଫର୍ଣ୍ଣ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥାନନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ । ଏହି ନିର୍ମାଣ କାର୍ଯ୍ୟ ୨୦୨୭ ସୁଦ୍ଧା ସମାପ୍ତ ହେବ ବୋଲି ଆଲୋଚନାରୁ ଜଣାପଡିଛି । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ଶ୍ରୀ ସୁରେଶ ପନ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଆଭାସୀ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ଓ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଧାମଡେରେ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking