ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜର୍ଜ ତୀର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାକୁ ସମର୍ଥନ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ , କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜ ନିଜର ମତ ରଖି ଜର୍ଜ ତୀର୍କିଙ୍କୁ ମନେ ପକାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ଏକ ମିନିଟ ମଧ୍ୟ ଚାଲିପାରିନଥିଲା ପ୍ରଶ୍ନକାଳ । ବିରୋଧୀ ଦଳଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ପୋଷ୍ଟର ଧରି ସାର ସଙ୍କଟ ପ୍ରସଙ୍ଗକୁ ନେଇ ନାରାବାଜି କରିଥିଲେ। ଫଳରେ ଚାଲିପାରିନଥିଲା ଗୃହ। ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










