ପୁରୀ: କୋକେଇରେ ଆସି ସ୍ୱର୍ଗଦ୍ୱାରରେ ଯୁଇକୁ ଯିବାକୁ ପ୍ରସ୍ତୁତ ହେଉଥିଲେ । ହେଲେ ବଞ୍ଚିଗଲେ । ଗତକାଲି ଶ୍ରୀକ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଥିଲା। ପରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା । ଅପରାହ୍ମ ପ୍ରାୟ ସାଢେ ୪ଟା ବେଳର ଘଟଣା । ପୁରୀ ସ୍ୱର୍ଗ ଦ୍ୱାରରେ ପହଞ୍ଚିଥିଲେ ଗଞ୍ଜାମ ପୋଲସରାର ଏନ ଧର୍ମା ସେଠୀ। ସେ ତାଙ୍କ ଶାଶୂ ୮୬ ବର୍ଷ ବୟସର ପି. ଲକ୍ଷ୍ମୀଙ୍କ ଶବ ଦାହ କରିବାକୁ ଆସିଥିଲେ। କୋକେଇରେ ବାନ୍ଧି ଜୁଇକୁ ନେବାକୁ ପ୍ରସ୍ତୁତ ହେଉଥିଲେ । ଏଣେ ସ୍ୱର୍ଗଦ୍ୱାର ପରିଚାଳନା କରୁଥିବା ସ୍ୱର୍ଗଦ୍ୱାର ସେବା ସମିତି ତାଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ମାଗିଥିଲା । କିନ୍ତୁ ପ୍ରମାଣପତ୍ର ନଥିବାରୁ ଜୁଇ ସଜଡା ଯାଇନଥିଲା । ଜ୍ୱାଇଁ ଏନ. ଧର୍ମା ଶାଶୂଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସେଠାକାର ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ମୃତ୍ୟୁବେଳେ ସରପଞ୍ଚ ନଥିବାରୁ ପ୍ରମାଣପତ୍ର ମିଳିପାରି ନଥିଲା। ଇତି ମଧ୍ୟରେ ପ୍ରାୟ ୪୫ ମିନିଟ ବିତି ଯାଇଥିଲା । ଏତିକିବେଳେ ଆମ୍ବୁଲାନ୍ସ ଡ୍ରାଇଭର ଦେଖିଲେ କି କୋକେଇରେ ଶବ ହଲଚଲ ହେଲା। ସେ ଆମ୍ବୁଲାନ୍ସରୁ ଡେଇଁ ଏନ ଧର୍ମାଙ୍କୁ ଏ କଥା କହିଥିଲେ। ଏନ. ଧର୍ମାଙ୍କ ସହ ସ୍ୱର୍ଗଦ୍ୱାର ସେବା ସମିତି ସେବକ ବ୍ରଜକିଶୋର ସାହୁ ମଧ୍ୟ ବାହାରକୁ ଆସିଥିଲେ । ଯାଞ୍ଚ କରିବା ବେଳେ ଜଣାପଡିଥିଲା କି ତାଙ୍କର ନିଶ୍ୱାସ ଚାଲିଛି। ଏଭଳି ଖବର ପ୍ରସାରିତ ହେବା ପରେ ତାଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସ ଯାଇ ଏକ ଗଳି ଭିତରେ ପଶିଯାଇଥିଲା । ସେଠାରୁ ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଚିକ୍ତ୍ସା ପାଇଁ ପଠାଯାଇଥିଲା । ସେ ଏବେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ କଥା କହିପାରୁନାହାନ୍ତି। ଏନେଇ ଜ୍ୱାଇଁ ଏନ ଧର୍ମା କହିଛନ୍ତି, କିଛି ଦିନ ତଳେ ସେ ଆମ ଘରେ ରହୁଥିଲେ । ଦୁଇ ଦନ ତଳେ ବାଥରୁମରେ ପଡିଯାଇଥିଲେ। ସେବେଠାରୁ ସେ ଅସୁସ୍ଥ ଥିଲେ। ଗତକାଲି ସେ ହଲଚଲ ନହେବାରୁ ତାଙ୍କୁ ସ୍ୱର୍ଗଦ୍ୱାର ନେଇ ଆସିଲୁ। କିନ୍ତୁ ଏଠି ପ୍ରମାଣ ପତ୍ର ଦରକାର ବୋଲି ଆମେ ଜାଣି ନଥିଲୁ ।










