30.1 C
Bhubaneswar
Thursday, February 5, 2026
Homeଓଡିଶାଘରୋଇ ବିତରକ ଜରିଆରେ ସରକାର ସାର ବିକ୍ରି ବ୍ୟବସ୍ଥା ବନ୍ଦ କରନ୍ତୁ: ଭକ୍ତ

ଘରୋଇ ବିତରକ ଜରିଆରେ ସରକାର ସାର ବିକ୍ରି ବ୍ୟବସ୍ଥା ବନ୍ଦ କରନ୍ତୁ: ଭକ୍ତ

ଭୁବନେଶ୍ୱର: ସରକାର କହୁଛନ୍ତି, ଓଡିଶା ପାଇଁ ଆବଶ୍ୟକ ପରିମାଣର ସାର କେନ୍ଦ୍ର ଦେଇସାରିଛନ୍ତି। ଅଥଚ ଓଡ଼ିଶାରେ ଚାଷୀ ସାର ପାଉନାହିଁ। ଏଥର ଅପେକ୍ଷାକୃତ ଭଲ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟର ଚାଷୀକୁଳ ଭଲ ଫସଲ ହେବ ବୋଲି ଆଶା ବାନ୍ଧି ବସିଥିଲେ। କିନ୍ତୁ ଧାନ ରୋଇବାର ତିନି ସପ୍ତାହ ପରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ କୁତ୍ରିମ ସାର ସଂକଟରୁ ଉଦ୍ଧାର କରି ପାରିଲେ ନାହିଁ। ମାର୍କଫେଡ଼ ଦ୍ୱାରା ବଣ୍ଟନ ହେବାକୁ ଥିବା ସାର ପ୍ରମୁଖତଃ ଘରୋଇ ବିତରକ ମାନଙ୍କ କବ୍ଜାକୁ ଚାଲି ଯାଇଛି। କେଉଁଠି ପ୍ୟାକ୍ସ ସାମ୍ନାରେ କାଗଜପତ୍ର ଧରି ଚାଷୀମାନେ ଧାଡିରେ ଛିଡା ହୋଇଛନ୍ତି ତ ଆଉ କେଉଁଠି ପୁଣି ନିରାଶ ହୋଇ କୃଷି ଅଧିକାରୀଙ୍କୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଗୌଡ଼ଗୋଠ ପ୍ୟାକ୍ସର ଗତ ବୁଧବାର ଦିନର ଦୃଶ୍ୟ ସମଗ୍ର ଦେଶର ଚାଷୀକୁଳର ଅନ୍ତରାତ୍ମାକୁ ଦୋହଲାଇ ଦେଲା। ଅଥଚ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଆଧାର କାର୍ଡଗୁଡିକୁ ଚାଷୀମାନେ ଧାଡିରେ ରଖି ତା ଉପରେ ଛୋଟ ଛୋଟ ପଥର ରଖିଥିବା ଦୃଶ୍ୟ ଅତ୍ୟନ୍ତ ଅମାନବୀୟ ଏବଂ ହୃଦୟ ବିଦାରକ ଥିଲା। ଖୋଦ ପ୍ରଧାନମନ୍ତ୍ରୀ କୃଷକଙ୍କୁ ଅନ୍ନଦାତା କହୁଥିବା ବେଳେ ଏବଂ ଭାରତୀୟ ଜନତା ପାର୍ଟି ସରକାର ରାଜ୍ୟରେ ଅନ୍ନଦାତାଙ୍କୁ ଏଭଳି କରୁଣ ଓ ଦାରୁଣ ସ୍ଥିତିରେ ପକାଇବା ଏ ଦଳର ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ କରୁନାହିଁ କି ?

ମୁଖ୍ୟମନ୍ତ୍ରୀ ସାରର କଳାବଜାର ଅଭିଯୋଗ ପାଇ ପ୍ୟାକ୍ସ ଓ ଲାମ୍ପସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ତଦାରଖ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଦେଇଥିବା ନିର୍ଦେଶ ପାଣିର ଗାର ହୋଇଛି। କିଛି ବିତରକଙ୍କୁ ଗିରଫ କରି ଓ ଆଉ କିଛି ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କରି ଜିଲ୍ଲା ପ୍ରଶାସନ କାମ ସାରିଦେଉଛି। ସରକାରର ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ସାର ବଣ୍ଟନ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହ କଳାବଜାର ରୋକିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନିର୍ଦେଶ ଦେଇଛନ୍ତି। ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ସରକାର ଦାବି କରୁଥିବା ଆବଣ୍ଟିତ ୯ ଲକ୍ଷ ୮୫ ହଜାର ଟନ ସାର କାହା ମାଧ୍ୟମରେ ବିକ୍ରି ହେଲା ସରକାର କିନ୍ତୁ କହୁନାହାନ୍ତି। ଅଧିକାଂଶ ସମିତିରେ ୟୁରିଆ ବସ୍ତା ପିଛା ଧାର୍ଯ୍ୟ ମୂଲ୍ୟ ୨୬୬ ଟଙ୍କା ଥିବାବେଳେ ତିନିଚାରିଗୁଣା ଚଢା ମୂଲ୍ୟରେ କିଏ ଓ କିପରି ବିକ୍ରି କରୁଛି, ଯାହାକି ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସରକାର କିପରି ଜାଣି ପାରୁନାହିଁ ? ଏହି କଳାବଜାରରେ ସରକାର ଓ ପ୍ରଶାସନର ଅଘୋଷିତ ମେଣ୍ଟ ଆଉ କାହାକୁ ବୁଝିବାକୁ ବାକି ନାହିଁ ।

ଅନ୍ୟ ପକ୍ଷରେ ସ୍ଥଳ ବିଶେଷରେ କିଛି ବିକ୍ରେତା କିଛି ନାନୋ ୟୁରିଆ ଓ ନାନୋ ଡିଏପି କିଣିଲେ ଯାଇ ଚାଷୀଙ୍କୁ ୟୁରିଆ ଦେଉଛନ୍ତି। ୟୁରିଆ ବ୍ୟାଗ ପିଛା ୫୦ କିଲୋ ବସ୍ତାରେ ରହିବା କଥା। କିନ୍ତୁ ୪୫ କିଲୋ ବ୍ୟାଗର ଓଜନ କାହିଁକି? ୫ କିଲୋ ଗଲା କୁଆଡେ ? ଅନ୍ୟ ରାଜ୍ୟରେ ମାର୍କଫେଡ଼ ପରି ସଂସ୍ଥା ଓ ସମବାୟ ସମିତି ଜରିଆରେ ଅଧିକାଂଶ ସାର ବଣ୍ଟନ ହେଉଥିବା ବେଳେ ଓଡ଼ିଶାରେ ସରକାରୀ ସଂସ୍ଥା ଦ୍ବାରା ମାତ୍ର ୩୫% ସାର ବଣ୍ଟନ ହେଉଛି ବୋଲି ସରକାର ନିଜେ ସ୍ୱୀକାର କରିଛନ୍ତି । ଖୋଲା ବଜାରରେ ଘରୋଇ ବିତରକଙ୍କ ଉପରେ ସରକାର ଏତେ ନିର୍ଭର କାହିଁକି କରୁଛନ୍ତି ? କାଳବିଳମ୍ବ ନ କରି ରାଜ୍ୟ ସରକାର ଚାଷୀ ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଆସନ୍ତା ୭ ଦିନ ମଧ୍ୟରେ ସାର ଯୋଗାଇ ଦେବାକୁ ଶ୍ରୀ ଦାସ ଦାବି ଜଣାଇଛନ୍ତି। ସାର କଳାବଜାର ପ୍ରସଙ୍ଗରେ ପ୍ରଥମେ ବିଜେଡିର ନିରବତାକୁ ସମାଲୋଚନା କରି ଶ୍ରୀ ଦାସ କହିଛନ୍ତି, କଂଗ୍ରେସ ପରି ମୂଳରୁ ଯଦି ଏହି ପ୍ରସଙ୍ଗରେ ନିଜ ଭାଇ ବିଜେପିର ସରକାର ବିରୋଧରେ ବିଜେଡି ପାଟି ଖୋଲିଥାନ୍ତା, ଚାଷୀକୁଳର ହିତସାଧନ ହୋଇଥାନ୍ତା। ଏପରିକି ତାଳଚେର ସାର କାରଖାନାର ପୁନରୁଦ୍ଧାର ପ୍ରସଙ୍ଗରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିବାର ଢେର ପରେ ନବୀନ ବାବୁ କେନ୍ଦ୍ରକୁ ଚିଠି ଲେଖୁଛନ୍ତି ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking