15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡଲାର୍ ତୁଳନାରେ ପୁଣି କମିଲା ‘ଟଙ୍କା’ ମୂଲ୍ୟ

ଡଲାର୍ ତୁଳନାରେ ପୁଣି କମିଲା ‘ଟଙ୍କା’ ମୂଲ୍ୟ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ବର୍ଦ୍ଧିତ ଶୁଳ୍କ ଏବଂ ଏହାସହ ସୃଷ୍ଟି ହୋଇଥିବା ବାଣିଜ୍ୟ ଅନିଶ୍ଚିତତା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତିକୁ ଖରାପ କରିଚାଲିଛି। ଗୁରୁବାର ପୁଣିଥରେ ଭାରତୀୟ ରୁପି’ ଟଙ୍କା ଆମେରିକାର ଡଲାର୍ ତୁଳନାରେ ସର୍ବକାଳୀନ ନିମ୍ନସ୍ତରରେ ଅର୍ଥାତ୍ ୮୮.୪୪୨୫ରେ ପହଞ୍ôଚଛି। ଗୁରୁବାର ଅପରାହ୍ଣ ୨:୨୦ ସୁଦ୍ଧା, ଭାରତର ‘ମୁଦ୍ରା’ ମୂଲ୍ୟ ଡଲାର ତୁଳନାରେ ୮୮.୪୪୨୫ରେ କାରବାର କରୁଥିଲା, ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ବନ୍ଦ ହୋଇଥିବା ୮୮.୧୨୮୮ ତୁଳନାରେ ୩୪ ପଇସା ହ୍ରାସ ବୋଲି ସ୍ପଷ୍ଟ ହୋଇଛି। ସିଧାସଳଖ କହିଲେ ବୁଧବାର ସୁଦ୍ଧା ଯେଉଁଠି ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସହିତ ୮୮.୧୨୮୮ ରହିଥିଲା ସେତେବେଳେ ଗୁରୁବାର ଏହା ଆହୁରି ୩୪ପଇସା ହ୍ରାସ ପାଇଛି।

ନିକଟ ଅତୀତରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଟଙ୍କାର ଏପ୍ରକାର ଅବମୂଲ୍ୟାୟନକୁ ରୋକିବା ଦିଗରେ ଅବଶ୍ୟ ହସ୍ତକ୍ଷେପ କରିଛି ଏବଂ କେତେକ ପଦକ୍ଷେପ ଗ୍ରହଣ କରିଛି। ତେବେ ଏସବୁର ସକାରାତ୍ମକ ପ୍ରଭାବ ଆଗାମୀ ଦିନରେ ହୁଏତ ଦେଖିବାକୁ ମିଳିପାରେ। ବଜାର ଅଂଶଗ୍ରହଣକାରୀମାନେ ବିଶ୍ୱାସ କରନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଏପ୍ରକାର ଅସ୍ଥିରତାକୁ କମ୍ କରିବା ପାଇଁ ଡଲାର୍ ବିକ୍ରୟ ଭଳି ନିଷ୍ପତ୍ତି ଗ୍ରହଣ କରିପାରେ। କାରଣ ଆଗାମୀ ଦିନରେ ଟଙ୍କାର ଦୁର୍ବଳତା ଜାରି ରହିପାରେ ବୋଲି ଆଇଏଫ୍‌ଏ ଗ୍ଲୋବାଲ୍‌ର ସିଇଓ ଅଭିଷେକ ଗୋଏଙ୍କା ମତ ଦେଇଛନ୍ତି। ପ୍ରକାଶ ଚଳିତବର୍ଷ ଭାରତର ଋଣ ଓ ଇକ୍ୱିଟି ବଜାରରୁ ୧୧.୭ ବିଲିଅନ୍ ଡଲାର୍ ବିଦେଶୀ ନିବେଶ ପ୍ରତ୍ୟାହାର ହୋଇଛି।

ସୂଚନାଯୋଗ୍ୟ କେବଳ ଭାରତୀୟ ମୁଦ୍ରା ନୁହେଁ ବରଂ ଏସିଆ ମହାଦେଶର ସମସ୍ତ ଦେଶଗୁଡ଼ିକ ପାଇଁ ସମାନ ପରିସ୍ଥିତି ଉତ୍ପନ୍ନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସାମ୍ପ୍ରତିକ ଉଚ୍ଚ ଶୁଳ୍କ ଲାଗୁ କରାଯିବା ଦ୍ୱାରା ଭାରତର ରପ୍ତାନି କ୍ଷତିଗ୍ରସ୍ତ ହୋଇଛି ଯାହା ଫଳରେ ମୁଦ୍ରା ପାଇଁ ଆଗକୁ ବଢ଼ିବାର ସମ୍ଭାବନା ମଧ୍ୟ କ୍ଷୀଣ ହୋଇଛି। ତେବେ ଦେଶର ରପ୍ତାନିକାରୀଙ୍କୁ ସମର୍ଥନ ପ୍ରଦାନ କରିବା ଏବଂ ଘରୋଇ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ପ୍ରତି ଜିଏସ୍‌ଟି ହ୍ରାସ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ଏହାର ଲାଭ ତତ୍କାଳୀନ ନୁହେଁ ବରଂ କିଛି ସମୟର ବ୍ୟବଧାନ ପରେ ମିଳିବ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଏକ ସକାରାତ୍ମକ ସୂଚନା ସାମ୍ନାକୁ ଆସିଛି ଯେ, ଉଭୟ ଟ୍ରମ୍ପ୍ ଏବଂ ମୋଦୀ ଏବେ ବିଚାରାଧୀନ ଥିବା ଦ୍ୱିପାକ୍ଷିକ ବାଣିଜ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା ଜାରି ରଖିବା ପାଇଁ ନିଜ ନିଜ ହିସାବରେ ସଂକେତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking