ନୂଆଦିଲ୍ଲୀ: ପୂର୍ବ କଙ୍ଗୋର ଟୟୋରେ ଇସଲାମିକ ଷ୍ଟେଟ ସହ ଜଡିତ ବିଦ୍ରୋହୀଙ୍କ ଆକ୍ରମଣରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଏକ ଅନ୍ତ୍ୟେଷ୍ଟି ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ବିଦ୍ରୋହୀ ଏଡିଏଫପକ୍ଷରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ୧୦ ଜଣ ସେଠାରେ ଲୋକଙ୍କୁ ଧାଡିରେ ଠିଆ କରାଇ ସେମାନଙ୍କ ବେକ କାଟିବା ଆରମ୍ଭ କରିଥିଲେ । ଲୋକଙ୍କ କରୁଣ ଚିତ୍କାର ଶୁଣି ମୁଁ ଭୟରେ ଅଚେତ ହୋଇଯାଇଥିଲି । ଟୟୋର ଲୁବେରା ଅଞ୍ଚଳର ଜଣେ ପ୍ରଶାସକ ଆଲେନ କିୱେୱାଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ପ୍ରାୟ ୬୦ ହେବ । ତେବେ ପ୍ରକୃତ ମୃତକଙ୍କ ସଂଖ୍ୟା ଗଣନା ପରେ ଜଣାପଡିବ । କଙ୍ଗୋ ଓ ଉଗାଣ୍ଡାର ସାମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଏଡିଏଫ ପକ୍ଷରୁ ଅଧିକ ଆକ୍ରମଣ କରାଯାଉଛି । ମଙ୍ଗଳବାର ଉତ୍ତର କିଭୁର ବେନି ଅଞ୍ଚଳରେ ଏଡିଏଫ ପକ୍ଷରୁ ଆଉ ଏକ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୯ରୁ ଇସଲାମିକ ଷ୍ଟେଟ ପାଇଁ କାମ କରୁଥିବା ଏଡିଏଫ ବିଦ୍ରୋହୀଙ୍କୁ ଦମନ ପାଇଁ ଉଭୟ କଙ୍ଗୋ ଓ ଉଗାଣ୍ଡା ଟାର୍ଗେଟ କରୁଥିଲେ ମଧ୍ୟ ସେମାନଙ୍କ ଆକ୍ରମଣ ବଢିବାରେ ଲାଗିଛି । ଜୁଲାଇରେ ମଧ୍ୟ ଏହା ବଡ ଧରଣର ଆକ୍ରମଣ କରି ଅନେକ ଲୋକଙ୍କ ଜୀବନ ନେଇଥିଲେ ।









