18.1 C
Bhubaneswar
Monday, February 9, 2026
Homeଓଡିଶାବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲେଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର...

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲେଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ଜୀବିକାର ନୂଆ ବାଟ ସୃଷ୍ଟି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମିଶନ ଶକ୍ତି ବିଭାଗର ସହଭାଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଚାରି ମାସ ଧରି ଚାଲିବ। ଏଥିରେ ରାଜ୍ୟର ୮ଟି ଜିଲ୍ଲାର ୨୧ ଜଣ ଏସଏଚଜି ମହିଳା ଭାଗ ନେଇଛନ୍ତି। ସେମାନଙ୍କୁ ‘କସମେଟୋଲୋଜି ଏବଂ ଉଦ୍ୟୋଗ ବିକାଶ’ ଆଦି ବିଷୟରେ ଆବଶ୍ୟକ ତାଲିମ ଦିଆଯିବ।

ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଯୋଗଦେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏଚଜି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ‘‘ଏସଏଚଜି ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ସେମାନଙ୍କୁ ସମୟଉପଯୋଗୀ ତାଲିମ ଦିଆଯିବା ଫଳରେ ସେମାନଙ୍କ ଦକ୍ଷତା ନୂଆ ଉଚ୍ଚତାକୁ ଯାଇପାରିବ। ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ଫଳରେ ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ,’’ କହିଛନ୍ତି ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ।

‘‘ଏସଏଚଜି ମହିଳାମାନେ ନିଜ ଅଞ୍ଚଳରେ କିପରି ନୂଆ ନୂଆ ଉଦ୍ୟୋଗ ସ୍ଥାପନ କରିପାରିବେ ତା’ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ସେମାନଙ୍କ ଦକ୍ଷତା ବିକାଶ ସହିତ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ତା’ ସହ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ,’’ କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା। ରାଜ୍ୟର ଏସଏଚଜି ମହିଳାଙ୍କୁ ଅତ୍ୟାଧୁନିକ ବିଷୟରେ ତାଲିମ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ମିଶନ ଶକ୍ତି ବିଭାଗ ଭିତରେ ଏକ ଏମଓୟୁ ସ୍ୱାକ୍ଷର ହୋଇଥିଲା। ଏହି ଆଧାରରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏସଏଚଜି ସଦସ୍ୟାଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଠାରେ ସେମାନଙ୍କୁ ବ୍ୟୁଟି ଥେରାପି, ହେୟାର ଓ ସ୍କିନ କେୟାର, ସାଲୁନ ପରିଚାଳନା, ବ୍ୟବସାୟ ପରିଚାଳନା, ଆର୍ଥିକ ସାକ୍ଷରତା, ଗ୍ରାହକ ସେବା ଏବଂ ଉଦ୍ୟୋଗ ବିକାଶ ଆଦି ବିଷୟରେ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ଶ୍ରୀ ପିନାକୀ ପଟ୍ଟନାୟକ, ମିଶନ ଶକ୍ତି ବିଭାଗର ଅତିରିକ୍ତ ସଚିବ ଡକ୍ଟର ଅବିନାଶ ରାଉତ, ମୁଖ୍ୟ କୌଶଳ ଅଧିକାରୀ ଶ୍ରୀ ବ୍ରୁସ୍ ପୋହ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଟି ଥମ୍ବିରାଜା, ଉପାଧ୍ୟକ୍ଷା ଶ୍ରୀମତୀ ଜିତାମିତ୍ର ଶତପଥୀ, ସ୍କୁଲ ଅଫ୍ ସର୍ଭିସେସର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀମତୀ ଲିମଲାଇ ସୁନ୍ ଏବଂ ବରିଷ୍ଠ ପ୍ଲାଷ୍ଟିକ ସର୍ଜନ ଡକ୍ଟର ଜୟନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking