16.1 C
Bhubaneswar
Sunday, December 7, 2025
Homeଓଡିଶାସ୍କୁଲ ପିଲାଙ୍କର ଦୃଷ୍ଟି ସମସ୍ୟା ଏବଂ ଝିଅ ଓ ମହିଳାମାନଙ୍କ ମଧ୍ୟରେ ହିମୋଗ୍ଲୋବିନସ୍ତର ସମସ୍ୟା ଦୂର...

ସ୍କୁଲ ପିଲାଙ୍କର ଦୃଷ୍ଟି ସମସ୍ୟା ଏବଂ ଝିଅ ଓ ମହିଳାମାନଙ୍କ ମଧ୍ୟରେ ହିମୋଗ୍ଲୋବିନସ୍ତର ସମସ୍ୟା ଦୂର କରିବା ଦିଗରେ ମିଳିତ ପଦକ୍ଷେପ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କର ଦୃଷ୍ଟି ସମସ୍ୟା ଏବଂ ଝିଅ ଓ ମହିଳାମାନଙ୍କର ହିମୋଗ୍ଲୋବିନସ୍ତର ହେବା ସମସ୍ୟା ଦୂର କରିବା ଦିଗରେ ମିଳିତ ପଦକ୍ଷେପ ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି I ଚଳିତ ଅଗଷ୍ଟ ୨୬ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲଠାରେ ଅନୁଷ୍ଠିତ ଦୃଷ୍ଟି ସମସ୍ୟା ନିୟନ୍ତ୍ରଣ ଏବଂ ରକ୍ତହୀନତା ଦୂରୀକରଣ ସମ୍ପର୍କିତ ଏକ ବୈଠକରେ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି I ଏ ଦିଗରେ ଶିଳ୍ପ ସଂସ୍ଥା, ଏନଜିଓ, ବ୍ୟବସାୟିକ ସଂଗଠନ, ଶିକ୍ଷାନୁଷ୍ଠାନ, ଆର୍ଥିକ ପ୍ରତିଷ୍ଠାନ, ଚକ୍ଷୁ ଚିକିତ୍ସାଳୟ ଏବଂ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଗୁଡିକ ସହଯୋଗର ହାତ ବଢେଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି I

ଉକ୍ତ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ଶିଳ୍ପ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଆର ଏସ ଗୋପାଲନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୁପେନ୍ଦ୍ର ସିଂ ପୁନିଆ ଯୋଗ ଦେଇଥିଲେ I ଏତତ ବ୍ୟତୀତ ଶିଳ୍ପ ସଂଘ, ବ୍ୟବସାୟୀ ସଂଗଠନ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ, ଚକ୍ଷୁ ଚିକିତ୍ସାଳୟ, ଏନସିସି ନିର୍ଦ୍ଦେଶାଳୟ, ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼, ରେଡକ୍ରସ, ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ/କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

ଏହି ବୈଠକରେ ରାଜ୍ୟପାଳ ଉଦବୋଧନ ଦେଇ ପିଲାମାନଙ୍କର ଦୃଷ୍ଟି ସମସ୍ୟାର ଶୀଘ୍ର ଚିହ୍ନଟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ଉପଯୁକ୍ତ ପରୀକ୍ଷା କରା ନ ଗଲେ ସ୍କୁଲ ପିଲାମାନଙ୍କର ଆଖି ସମସ୍ୟା ଚିହ୍ନଟ କରାଯାଇପାରିବ ନାହିଁ ବୋଲି କହିଥିଲେ I ଏଣୁ ଶୀଘ୍ର ଚିହ୍ନଟ ସେମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଅତ୍ୟନ୍ତ ଲାଭଦାୟକ ହେବ I ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦୃଷ୍ଟିଶକ୍ତି ପରୀକ୍ଷା ଅନ୍ତତଃ ବର୍ଷକୁ ଥରେ କରାଯିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ I ଏ ଦିଗରେ ଶିକ୍ଷକମାନଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ତାଲିମ ଦିଆଗଲେ ସମସ୍ତ ସ୍କୁଲରେ ପିଲାମାନଙ୍କର ନିୟମିତ ଦୃଷ୍ଟିଶକ୍ତି ପରୀକ୍ଷା କରାଯାଇ ପାରିବ ବୋଲି କହିଥିଲେ I ସେହି ପରି ଝିଅ ଓ ମହିଳାମାନଙ୍କ ମଧ୍ୟରେ କମ ହିମୋଗ୍ଲୋବିନସ୍ତର ସମସ୍ୟା ଉପରେ ରାଜ୍ୟପାଳ ଚିନ୍ତା ପ୍ରକଟ କରି ସେମାନଙ୍କର ସାମଗ୍ରିକ ସୁସ୍ଥତା ପାଇଁ ସଚେତନତା, ପୁଷ୍ଟିକର ସହାୟତା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ I ଝିଅମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ହିମୋଗ୍ଲୋବିନସ୍ତରକୁ ଉନ୍ନତ କରିବା ପାଇଁ ସେ ଦୈନନ୍ଦିନ ଖାଦ୍ୟରେ ଗାଜର-ବିଟରୁଟ୍ ରସ ଏବଂ ଗୁଡ଼ ଚିକି ଭଳି ସରଳ ଜିନିଷ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଏହି ଦୁଇଟି ସମସ୍ୟାର ବର୍ତ୍ତମାନର ସ୍ଥିତି ବିଷୟରେ ରାଜ୍ୟପାଳଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରାଯାଇଥିଲା।

ଏହି ଅବସରରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ସରକାର ପୂର୍ବରୁ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଣୁ ଆମେ କିପରି ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଶିଳ୍ପ ଏବଂ ସାମାଜିକ ସଂଗଠନର ପ୍ରୟାସ ସହିତ ମିଶ୍ରଣ କରିପାରିବା ଯାହା ଦ୍ୱାରା ଉତ୍ତମ ଫଳାଫଳ ମିଳିପାରିବ । ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନୋଡାଲ ଅଧିକାରୀ ଭାବରେ କାର୍ଯ୍ୟ କରିବାକୁ ଏବଂ ଏକ ବ୍ୟାପକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଥିଲେ I ଏ ବୈଠକରେ ସ୍କୁଲରେ ପୂର୍ବରୁ ଦୃଷ୍ଟିଶକ୍ତି ପରୀକ୍ଷା କରୁଥିବା କିଛି ଶିକ୍ଷକ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଅନେକ ସଂଗଠନ ମଧ୍ୟ ଆଗେଇ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking