ମୟୂରଭଞ୍ଜ: ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ।ଗୋଟେପଟେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଭାଙ୍ଗୁଛି ଘରଦ୍ୱାର ତ ପୁଣି ଜଳଚର ହୋଇଯାଉଛି ହଜାର ହଜାର ଏକର ଚାଷଜମି । ହେଲେ ଏଭଳି ଏକ ସମୟରେ ମଧ୍ୟ ପାନୀୟଜଳ ଅଭାବରୁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଯାହା ବ୍ୟବସ୍ଥା ପାଇଁ ଏକ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ମାତ୍ର ସରକାରୀ ଅଧିକାରୀଙ୍କ ଠିକାଦାର ପ୍ରୀତି ପାଇଁ ସୃଷ୍ଟି ହୋଇଛି ଏଭଳି ଅଭାବନୀୟ ପରିସ୍ଥିତି। ଅନ୍ୟପଟେ ଦେଖିବାକୁ ଗଲେ ସ୍ୱାଧୀନତାର ୭୭ବର୍ଷ ପରେ ବି ସରକାରୀ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିକିଟାମାଟିଆ ପଞ୍ଚାୟତ ଅଧୀନ ଘୋଡାବନ୍ଧା ଓ ସହରାଇଶୋଳ ଗାଁ । ଘୋଡାବନ୍ଧା ଓ ସହରାଇଶୋଳ ଗ୍ରାମରେ ୫୦୦ ରୁ ଅଧିକ ଲୋକ ବସବାସ କରୁଥିବା ଜଣାପଡିଛି ।
ଆଉ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗାଁରେ କାର୍ଯ୍ୟକାରୀ ହେଉଛି ବସୁଧା ଯୋଜନା । ହେଲେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ସାଙ୍ଗକୁ ଜଳ ଓ ପରିମଳ ବିଭାଗ ପକ୍ଷରୁ ତତ୍ପରତାର ଅଭାବ ନିରୀହ ଲୋକଙ୍କ ପାଇଁ ପାନୀୟଜଳ ସମସ୍ୟା ବଢାଇ ଦେଇଛି। କିନ୍ତୁ ସରକାର ଅଣଦେଖା କରିଥିବାରୁ ସମସ୍ତେ ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଦୁଇ ଗାଁର ଜନସାଧାରଣ। ଅନ୍ୟପଟେ ବ୍ଲକର ଉପାନ୍ତଅଞ୍ଚଳ ଏହି ଦୁଇ ଗ୍ରାମ । ଏହି ଗାଁ ସୀମାରୁ ୫୦୦ ମିଟର ଦୂରରେ ପୋଡଶୀ ପଶ୍ଚିମବଙ୍ଗ ।
ତେବେ ଗାଁରେ ବହୁ ବର୍ଷ ପୂର୍ବ ଏକ ନଳକୂପ ହୋଇଥିଲା କିନ୍ତୁ ତାହା ରକ୍ଷଣାବେକ୍ଷଣ ଅଭାବରୁ ଅପରିଷ୍କାର ପାଣି ବାହାରୁଥିବା ବେଳେ ଉକ୍ତ ନଳକୂପ ଚତୁଃପାର୍ଶ୍ଵରେ ନା ଅଛି ଚାନ୍ଦିନୀ ନା ଅଛି ସଟପିଟ । ସେହିପରି ଗାଁରେ ଅଛି ଗୋଟିଏ କୂଅ କିନ୍ତୁ ସେ ପାଣି ପିଇବା ଉପଯୋଗୀ ନୁହେଁ । ଗ୍ରାମରେ ଥିବା ସହରାଇଶୋଳ ସ୍କୁଲ ପରିସରରେ ଥିବା ଏକ ନଳକୂଅରୁ ପିଇବାପାଣି ସଂଗ୍ରହ କରି ସମସ୍ତେ ବ୍ୟବହାର କରୁଛନ୍ତି ସତ କିନ୍ତୁ ଉକ୍ତ ବିଦ୍ୟାଳୟରେ ଥିବା ନଳକୂଅରୁ ମଧ୍ୟ ଅପରିଷ୍କାର ପାଣି ବାହାରୁଥିବା ଦେଖିବାକୁ ମିଳିଛି ।
ଉକ୍ତ ଗ୍ରାମର ଲୋକେ ବାଧ୍ୟ ହୋଇ ବିଦ୍ୟାଳୟର ନଳକୂଅ ପାଣିକୁ ବ୍ୟବହାର କରୁଛନ୍ତି । ତେବେ ତିନିବର୍ଷ ପୂର୍ବରୁ ଉକ୍ତ ଗ୍ରାମରେ ଏକ ବସୁଧା ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଜଳ ଓ ପରିମଳ ବିଭାଗ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଘରକୁ ପାଇପ ବି ବିଛାଯାଇଥିବା ବେଳେ ବିଦ୍ୟୁତ ପାଇଁ ଟ୍ରାନସଫର୍ମର ବି ଲଗାଯାଇଥିଲା । ଗ୍ରାମବାସୀମାନେ ଏହାଦେଖି ବେଶ ଖୁସି ମଧ୍ୟ ହୋଇଥିଲେ ।
ଏବେ ଆମେ ବିଶୁଦ୍ଧ ପାନୀୟ ଜଳ ପାଇବୁ । ଆଉ ପାଣି କଷ୍ଟ ରହିବ ନାହଁ । କିନ୍ତୁ ଠିକାଦାର କେବଳ ଟାଙ୍କିର ପିଲର ଖୁଣ୍ଟ ନିର୍ମାଣ କରିବା ପରେ ଧରାଛୁଆଁ ଦେଉନଥିବା ଅଭିଯୋଗ ହେଉଛି। ଟାଙ୍କି ନିର୍ମାଣ କାଲି ହେବ, ମାସେ ପରେ ହେବ, ବର୍ଷେ ପରେ ହେବ ଭାବି ଭାବି ରହିଲେ ଗ୍ରାମବାସୀ । କିନ୍ତୁ ଦୀର୍ଘ ତିନିବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି ଉକ୍ତ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ। ଫଳରେ ଗ୍ରାମବାସୀ ମାନେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି । ବାଧ୍ୟ ହୋଇ ଜୀବନ ବଞ୍ଚାଇବା ପାଇଁ ଗୁଳିଆ ପାଣି ଆମେ ପିଉଛୁ ବୋଲି ଷୋଭର ସହ କହିଛନ୍ତି ଗ୍ରାମବାସୀ । ଏବେ ଲାଗିରହିଛି ବର୍ଷା । ବର୍ଷାରେ ପାଣି ପାଇଁ ବିକଳ ଏହି ଗ୍ରାମବାସୀ ।










