19.1 C
Bhubaneswar
Saturday, February 7, 2026
Homeଓଡିଶାବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ – ରାଜ୍ୟପାଳ

ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଏକ ସାମୁହିକ ଦାୟିତ୍ୱ ଭାବରେ ଗ୍ରହଣ କରିବା, ସେମାନଙ୍କର ଜ୍ଞାନକୁ ସମାଜର ଉନ୍ନତି ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ବ୍ୟବହାର କରିବା ସହ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୧ ତାରିଖ ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ଏମ୍‌କେସିଜି ଅଡିଟୋରିୟମ୍ ଠାରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଆଲୁମିନି ଆସୋସିଏସନ୍‌ର ପଂଚମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ, ଶିକ୍ଷା କେବଳ ବ୍ୟକ୍ତିଗତ ସଫଳତା ନୁହେଁ ଏହା ସମାଜକୁ ଆଲୋକିତ ଏବଂ ପରିବର୍ତନ କରିବା ପାଇଁ ଜୀବନବ୍ୟାପୀ ଦାୟିତ୍ୱ। ଆଠଟି ଗୌରବମୟ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କଳ ବିଶ୍ୱ ବିଦ୍ୟାଳୟ ଜ୍ଞାନର ଏକ ଉଜ୍ଜଳ ଆଲୋକପଥ ହୋଇ ନେତୃତ୍ୱକୁ ଆକାର ଦେଇଛି ବୋଲି ରାଜ୍ୟପାଳ କହିବା ସହିତ ବିଶ୍ୱ ବିଦ୍ୟାଳୟର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ ଏବଂ ବିଶ୍ୱରେ ସକରାତ୍ମକ ପରିବର୍ତ୍ତନ ପାଇଁ ଏକ ଶକ୍ତି ଭାବରେ ଉଭା ହେବାକୁ ପୁରାତନ ଛାତ୍ର ସଂସଦକୁ ଆହ୍ୱାନ ଜଣାଇଥିଲେ। ଆଠ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତି, ଶାସନ, ବିଜ୍ଞାନ, ଶିକ୍ଷା, ସାହିତ୍ୟ ଆଇନ, ସଂସ୍କୃତି, ବ୍ୟବସାୟ ଏବଂ ସାଧାରଣ ଜୀବନରେ ସଫଳ ବ୍ୟକ୍ତିତ୍ୱ ଗଢ଼ି ତୋଳିବାରେ ବିଶ୍ୱ ବିଦ୍ୟାଳୟର ଅନବଦ୍ୟ ଭୂମିକା ରହିଛି, ଯେଉଁମାନେ ବିଶ୍ୱ ବିଦ୍ୟାଳୟର ଗରିମା ବଢ଼ାଇବା ସହିତ ରାଜ୍ୟ, ଦେଶ ଏବଂ ବିଦେଶରେ ବିଶ୍ୱ ବିଦ୍ୟାଳୟ ମୂଲ୍ୟବୋଧର ଆମ୍ବାସଡର୍ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଯୁବ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା, ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ‘ସବୁଜ ଏବଂ ସୁସ୍ଥ କ୍ୟାମ୍ପସ’ ଅଭିଯାନକୁ ପ୍ରୋତ୍ସାହିତ କରିବା ଦିଗରେ ଆଲୁମିନି ଆସୋସିଏସନ୍‌ର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏପରି ମହତ ପ୍ରୟାସ ଗୁଡ଼ିକ ନିଜ ଶିକ୍ଷାନୁଷ୍ଠାନକୁ ପ୍ରତିଦାନରେ କିଛି ଫେରାଇବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ବିଶ୍ୱ ବିଦ୍ୟାଳୟ ଜୀବନ କେବଳ ଅଧ୍ୟୟନର ଏକ ପର୍ଯ୍ୟାୟ ନୁହେଁ, ବରଂ ଏହା ଆତ୍ମ-ଆବିଷ୍କାରର ଏକ ଯାତ୍ରା, ମୂଲ୍ୟବୋଧକୁ ପୋଷଣ ଏବଂ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ ପାଇଁ ପ୍ରସ୍ତୁତିର ଏକ ଯାତ୍ରା । ପୁରାତନ ଛାତ୍ରାଛାତ୍ରୀମାନେ ସୋମାନଙ୍କର ଅଭିଜ୍ଞତା ବାଂଟିବା, ଯୁବପିଢ଼ିଙ୍କୁ ପରାମର୍ଶ ଦେବା ଏବଂ ବିଶ୍ୱ ବିଦ୍ୟାଳୟ ଏବଂ ସମାଜକୁ ମଜବୁତ କରୁଥିବା ପଦକ୍ଷେପ ଗୁଡ଼ିକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇବାକୁ ପରାମର୍ଶ ଦେଇଥିଲେ । ଆଲୁମିନି ଆସୋସିଏସନ୍ କିଛି ବର୍ଷ ହେଲା ଗଠିତ ହୋଇଥିଲେ ମଧ୍ୟ ଏହାର ଉଲ୍ଲେଖନୀୟ ପ୍ରଗତି ପାଇଁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଏହି ସମାବେଶ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କର ଯେଉଁ ଗଭୀର ଏବଂ ନିରନ୍ତନ ବନ୍ଧନ ରହିଛି, ତା’ର ପ୍ରତିଫଳନ ବୋଲି ରାଜ୍ୟପାଳ କହିଥିଲେ । ଆଲୁମିନି ଆସୋସିଏସନ୍ ସମୃଦ୍ଧ ହୋଇ ଯୁବପିଢ଼ି ପାଇଁ ମାର୍ଗଦର୍ଶକ ସାଜୁ ଏବଂ ଉତ୍କର୍ଷତା, ଚରିତ୍ର ଗଠନ ଏବଂ ସମାଜ ସେବାର କେନ୍ଦ୍ର ଭାବରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଐତିହ୍ୟକୁ ବଜାୟ ରଖୁ ବୋଲି ରାଜ୍ୟପାଳ କାମନା କରିଥିଲେ ।

ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ନିଜ ବକ୍ତବ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗରିମାମୟ ଇତିହାସ ଓ ପରଂପରା ଏବଂ ରାଜ୍ୟ ତଥା ଦେଶ ପ୍ରତି ଅବଦାନ ସଂପର୍କରେ ଅବତାରଣା କରି ବିଶ୍ୱବିଦ୍ୟାଳୟ ସହ ଜଡିତ ତାଙ୍କର ସ୍ମୃତି ସଂପର୍କରେ ଉଲ୍ଲେଖ କରିଥିଲେ। ଏତଦ୍‌ବ୍ୟତୀତ ଆଲୁମିନି ଆସୋସିଏସନ୍‌ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନ୍‌ସେଲର ଯଜେ୍ଞଶ୍ୱର ଦଣ୍ଡପାଟ ବକ୍ତବ୍ୟ ପ୍ରଦାନ କରି ଆଲୁମିନି ଆସୋସିଏସନ୍‌ର ସହଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଭୁତ ଉନ୍ନତି ସାଧିତ ହୋଇପାରିବ ବୋଲି କହିଥିଲେ। ପ୍ରାରମ୍ଭରେ ଆଲୁମିନି ଆସୋସିଏସନ୍‌ର ସଭାପତି-ତଥା- ଅବସରପ୍ରାପ୍ତ ବରିଷ୍ଠ ଆଇ.ପି.ଏସ୍‌. ଅଫିସର ଡ. ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଲୁମିନି ଆସୋସିଏସନ୍‌ର ଉଦ୍ଦେଶ୍ୟ ଏବଂ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ। ଆଲୁମିନି ଆସୋସିଏସନ୍‌ର ସାଧାରଣ ସଂପାଦକ ଦେବେନ୍ଦ୍ର ପ୍ରସାଦ ଦାଶ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ଆଲୁମିନି ଆସୋସିଏସନ୍ କିପରି ପରିବ୍ୟାପ୍ତ ହୋଇ ଅଧିକ କ୍ରିୟାଶୀଳ ହେବ ସେ ସଂପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା “ଉତ୍କଳାୟନ” ଉନ୍ମୋଚିତ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍ମୃତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking