18.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ବୃହତ ପାନୀୟ ଜଳ ଯୋଗାଇବା ନେଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ମନ୍ତ୍ରୀ

ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ବୃହତ ପାନୀୟ ଜଳ ଯୋଗାଇବା ନେଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି । ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକୁ ଉଚିତ ଭାବରେ କାର୍ଯ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି l ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ l ରାଜ୍ୟରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି l ଅନ୍ୟ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରାଯାଉଛି ଓ ସେସବୁର ପ୍ରତ୍ୟକ୍ଷ ନିରୀକ୍ଷଣ କରାଯାଉଛି l ସାମାନ୍ଯ ବ୍ୟତିକ୍ରମ ଦେଖାଗଲେ ଉତ୍ତରଦାୟିତ୍ଵ ସ୍ଥିର କରାଯାଇ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲେ l

ବର୍ତ୍ତମାନ ରାଜ୍ୟରେ ୧୦୦୦୦ ରୁ ଉର୍ଦ୍ଧ୍ବ ଗ୍ରାମ ଓ ୫୫୨ଟି ଗ୍ରାମପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ‘ହର ଘର ଜଳ’ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ନୂଆପଡା ଜିଲ୍ଲାର ସମସ୍ତ ଗ୍ରାମ ‘ହର ଘର ଜଳ ଯୋଜନା’ରେ ଅନ୍ତର୍ଭୁକ୍ତ ହୋଇ ପାରିଛି, ଯାହା ଗ୍ରାମୀଣ ଜୀବନରେ ପାନୀୟ ଜଳ ସୁବିଧାକୁ ସୁନିଶ୍ଚିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ । ସରକାରୀ ସ୍ତରରେ ଏହି ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେହି ଅନୁସାରେ, ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ପ୍ରକଳ୍ପ ସମ୍ପନ୍ନ କରିବା ଲକ୍ଷ୍ୟ ସ୍ଥିର କରାଯାଇଛି । ଏହି ସମସ୍ତ ପ୍ରକଳ୍ପର ନିର୍ମାଣ ସ୍ଥିତି ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ସ୍ଥିରୀକୃତ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ l ବର୍ତ୍ତମାନ ରାଜ୍ୟରେ ନିରାପଦ ପାନୀୟ ଜଳ ସୁନିଶ୍ଚିତତା ପାଇଁ ରାଜ୍ୟର ୫,୨୭,୫୭୦ ନଳକୂପ/ସାନିଟାରି ୱେଲ୍, ୨୧,୪୦୧ ପ୍ରୋଡକ୍ସନ ୱେଲ୍ ଓ ୧୫,୧୫୫ଟି ଓଭରହେଡ୍ ଟ୍ୟାଙ୍କର ଲଗାତର ବିଶୁଦ୍ଧିକରଣ କରାଯାଇଛି। ପୂର୍ବବର୍ଷରେ ମଞ୍ଜୁର ହୋଇଥିବା ୨୯,୫୧୨ ନଳକୂପ ମଧ୍ୟରୁ ୨୦,୮୯୧ଟି ପ୍ରାୟ ସମ୍ପନ୍ନ ହୋଇଛି । ଏହି ସମସ୍ତ କାର୍ଯ୍ୟରେ ଉତ୍ତରଦାୟିତ୍ବକୁ ଗୁରୁତ୍ଵ ଦିଆଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ଏଜେନ୍ସି କାର୍ଯ୍ୟ ସମାପ୍ତ ନ କରୁଛି, ତାହା ଉପରେ ପେନାଲ୍ଟି ଲଗାଯାଉଛି । ସେହିଭଳି ଦାୟିତ୍ଵରେ ରହିଥିବା ଅଧିକାରୀ ଓ କର୍ମଚାରୀମାନଙ୍କର ମଧ୍ୟ ଉତ୍ତରଦାୟିତ୍ବ ସ୍ଥିର କରାଯାଇ ଦରମାକାଟ କରାଯାଉଛି l ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଶ୍ରୀ ଏସ୍. ଏନ୍ ଗିରୀଶ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଭିନ୍ନ ତଥ୍ୟ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ପାନୀୟଜଳ ଓ ପରିମଳ) ଶ୍ରୀ ଭିନିତ ଭରଦ୍ବାଜ, ପାନୀୟଜଳ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରତ୍ନାକର ଶିଆଳ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking