ଭୁବନେଶ୍ବର : ଏକ ତରଫା ପ୍ରେମର ଶିକାର ହୋଇ ବିଷପାନ କରିଥିବା ନବରଙ୍ଗପୁରଜିଲ୍ଲା ରାଇଘର ଥାନା ଅଞ୍ଚଳର ଚର୍ଚ୍ଚିତ ବିଏସ୍ସି ନର୍ସିଂ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି। ନବରଂଗପୁରର ଛାତ୍ରୀଙ୍କ ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ମୃତ୍ୟୁ ଘଟିଛି। ଆସନ୍ତାକାଲି ମୃତ ଛାତ୍ରୀଙ୍କର ପୋଷ୍ଟମର୍ଟମ ହେବ ବୋଲି ଏମ୍ସ ଭୁବନେଶ୍ବର ସୂତ୍ରରୁ ପ୍ରକାଶ। ପୋଷ୍ଟମର୍ଟମ ପରେ ମୃତଦେହ ଛାତ୍ରୀଙ୍କ ଗାଁକୁ ଯିବ ଓ ସମ୍ଭବତଃ ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ। ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତମାସ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ଏହି ସମୟରେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲାl ଆକ୍ରମଣର ଶିକାର ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେl ପୁଲିସ ସତ୍ୟଜିତକୁ ଅଟକ ରଖି ସର୍ତ୍ତମୂଳକ ଭାବରେ ଛାଡ଼ି ଦେଇଥିଲାl ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲା।
ନଜ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ପୀଡିତା ଲୋକାଲଜ୍ୟା ସହି ନପାରି ଜୁଲାଇ ୧୭ ତାରିଖରେ ଘାସମରା ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେl ଘରଲୋକ ଜାଣିପାରି ତାଙ୍କୁ ଉମରକୋଟ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଣ୍ଡାଗାଁ ଓ ପରେ ରାୟପୁରକୁ ନେଇ ଯାଇଥିଲେl କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ସହ ଡାକ୍ତର ହାତ ଟେକି ଦେଇ ଘରକୁ ନେଇ ଯିବାକୁ କହିଥିଲେl ଫଳରେ ଗତ ଜୁଲାଇ ୨୧ରେ ପରିବାର ଲୋକେ ପୀଡିତାଙ୍କୁ ଘରକୁ ନେଇ ଯାଇଥିଲେl ସେହି ଦିନ ଠାରୁ ପୀଡିତା ଘରେ ମରଣ ସହ ସଂଗ୍ରାମ କରି ଆସୁଥିବା ବେଳେ ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପୀଡିତାଙ୍କ ବୟାନ ନେଇଥିଲା। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ପୀଡ଼ିତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୁଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।










