ଭୋପାଳ: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ବ୍ୟକ୍ତି ନିଜ ୧୬ ବର୍ଷୀୟା ଝିଅକୁ ବଳାକ୍ରାର କରି ତାଙ୍କୁ ଗର୍ଭବତୀ କରିଛନ୍ତି । ନାବାଳିକା ଝିଅ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଗର୍ଭବତୀ ହୋଇଯାଇଥିଲେ । ଏହାପରେ ସେ ଏକ ପିଲା ମଧ୍ୟ ଜନ୍ମ କରିଥିଲେ । ନବଜାତ ଶିଶୁକୁ ବୁଦାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାର ଏକ ଗ୍ରାମରେ ଘଟିଯାଇଛି ଏପ୍ରକାର ଅଭାବନୀୟ ଘଟଣା । ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି ରହିଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ନାବାଳିକା ଝିଅ ଗୁଜୁରାଟ ରାଜକୋଟରେ ମୁଲିଆ ଭାବେ ବାପା ସହ କାମ କରୁଥିବାବେଳେ ତା’ ବାପା ଏକାଧିକ ଥର ତାଙ୍କୁ ଧର୍ଷଣ କରିଥିବା ପୀଡ଼ିତା ପୋଲିସକୁ କହିଛି । ନାବାଳିକାର ପ୍ରସବ ଘରେ କରିବା ପରେ ତାଙ୍କ ବାପା ନବଜାତକୁ ବୁଦାରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ପୋକ୍ସୋ ଆକ୍ଟ ଅଧିନରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ।










