14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପୁତିନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୋଦୀ

ପୁତିନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଆମେରିକା ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଉଛନ୍ତି । ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ବିଶେଷକରି ୟୁକ୍ରେନ୍ ଯୁଦ୍ଧ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡିଛି । ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଲେଖିଛନ୍ତି “ଆଜି ସେ ତାଙ୍କର ପ୍ରିୟବନ୍ଧୁ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହୋଇଛି । ଉଭୟ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ଭାରତ-ରୁଷ୍ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛୁ ।

ଏହି ଅବସରରେ ମୋଦୀ ଲେଖିଛନ୍ତି ଯେ ଖୁବଶୀଘ୍ର ଭାରତରେ ରାଷ୍ଟ୍ରପତି ପୁତିନ୍‌ଙ୍କୁ ସ୍ୱାଗତ କରିବା ପାଇଁ ସେ ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ୍ ମସ୍କୋଠାରେ ପୁତିନ୍‌ଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଶକ୍ତି ଓ ପ୍ରତିରକ୍ଷା ସମ୍ପର୍କ ଆଲୋଚନା କରିଥିଲେ ଏବଂ ପୁତିନ୍‌ଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବାରେ ଥିବା ସୂଚନା ଦେଇଥିଲେ । ଆଜିର ଏହି ଆଲୋଚନାରେ ପୁତିନ୍ ମୋଦୀଙ୍କୁ ୟୁକ୍ରେନ ସହ ସଂଘର୍ଷର ସାମ୍ପ୍ରତିକ ସ୍ଥିତି ବିଷୟରେ ସୂଚନା ଦେଇଥିଲେ । ମୋଦୀ ଏହି ପ୍ରସଙ୍ଗରେ ଭାରତର ସ୍ଥିର ଅବସ୍ଥାନକୁ ପୁନର୍ବାର ଦୋହରାଇଥିଲେ ଏବଂ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ ବୋଲି ପୁତିନ୍‌ଙ୍କୁ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ପୁତିନ୍‌ଙ୍କ ମଧ୍ୟରେ ହୋଇଥିବା ଆଜିର ଏହି ଫୋନ୍ କଲ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପକ୍ଷରୁ ଭାରତ ଉପରେ ୫୦% ଶୁଳ୍କ ଘୋଷଣା କରିବା ପରେ ସାମ୍ନାକୁ ଆସିଛି । ରୁଷ୍ ଠାରୁ ଭାରତ ତେଲ କିଣିବା ପରିପ୍ରେକ୍ଷୀରେ ଆମେରିକା ଭାରତ ଉପରେ ଏହି ଶୁଳ୍କ ଲାଗୁ କରିଛି । ପ୍ରକାଶ ଆମେରିକାର ୫୦% ଶୁଳ୍କ ଲାଗୁ ପ୍ରସଙ୍ଗରେ ଭାରତ ପକ୍ଷରୁ ଆମେରିକାକୁ କଡା ପ୍ରତିବାଦପୂର୍ଣ୍ଣ ଜବାବ ଦିଆଯାଇଛି । ଭାରତ ଦର୍ଶାଇଛି ଯେ, ‘ଭାରତର ରୁଷ୍ ଠାରୁ ତୈଳ କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବଜାର ଆଧାରିତ ଏବଂ ଦେଶର ୧୪୦ କୋଟି ଲୋକଙ୍କ ଶକ୍ତି ତଥା ସ୍ୱାର୍ଥ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ । ସେହିପରି ଭାରତୀୟ କୃଷକଙ୍କ ସ୍ୱାର୍ଥ ସହ ମଧ୍ୟ କୌଣସି ପରିସ୍ଥିତିରେ ସାଲିସ୍ କରାଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking